ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୨୫/୧୨/୨୦୨୫(ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ଅବସରରେ ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି । ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୈଠକରେ ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ବାଜପେୟୀ ଜଣେ ମହାନ ଜନନାୟକ ଥିଲେ ।

ଦେଶର ବିକାଶରେ ତାଙ୍କର ଅବଦାନ ଅନେକ ଥିଲା । ଜଣେ ବିଚକ୍ଷଣ ରାଜନେତା ଏବଂ ରାଷ୍ଟ୍ରନୀତିଜ୍ଞ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ବାଜପେୟୀଙ୍କ ଅମଳରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା, ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପ, ସମଗ୍ର ଶିକ୍ଷା ଅଭିଯାନ, ପୋଖରାନରେ ପରମାଣୁ ପରୀକ୍ଷଣ ଇତ୍ୟାଦିର ଅବତାରଣା କରିଥିଲେ । ଏହା ସହିତ ବାଜପେୟୀଙ୍କ ନିର୍ମଳ ଭାବମୂର୍ତି, ବିଦେଶ ନୀତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦୂରସଂଚାର ଓ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଏବଂ କାରଗିଲ ଯୁଦ୍ଧରେ ଦୃଢ଼ ନେତୃତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହିତ ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ବାଜପେୟୀଙ୍କ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସମାଜମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ହସ୍ତଶିଳ୍ପ ସହକାରୀ ନିର୍ଦେଶକ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଶିକ୍ଷା ବିଭାଗ ସହଯୋଗରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ ।

ବୈଠକରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ, ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟାଳୟ କର୍ମଚାରୀ ଦିବ୍ୟରଞ୍ଜନ ବେହେରା, ମଦନ ହାଁସଦା, ରଞ୍ଜନ ସାହୁ, ଶେଖ ନୁର ଇସଲାମ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *