କେନ୍ଦ୍ରାପଡ଼ା, ୧୩/୧୧/୨୦୨୬ (ଓଡ଼ିଶା ସମାଚାର)- ଠିକାଦାରଙ୍କ ବକେୟା ବିଲ୍ ପ୍ରଦାନ ନ କରି ଶେଷରେ ଅଡ଼ୁଆରେ ପଡ଼ିଛି କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ଡିଭିଜନ (ଆରଡି)-୨ । କେନ୍ଦ୍ରାପଡ଼ା ବାଣିଜ୍ୟିକ କୋର୍ଟ (ସିଭିଲ ଜଜ୍ ସିନିଅର ଡିଭିଜନ)ଙ୍କ ନିର୍ଦେଶକ୍ରମେ ଆଜି ପୂର୍ବାହ୍ନରେ କୋର୍ଟର ଅଧିକାରୀ ଓ କର୍ମଚାରୀମାନେ ସେଠାରେ ପହଂଚି ଆରଡି-୨ କାର୍ଯ୍ୟାଳୟକୁ ସିଲ୍ କରିବା ସହ ସମସ୍ତ ଚଳନ୍ତି ସମ୍ପତି ଓ ଆସବାବପତ୍ର ଜବତ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାର୍ଯ୍ୟାଳୟର ସମସ୍ତ ଟେବୁଲ ଓ ଚେୟାରରେ ନାଲିଫିତା ମରାଯାଇଛି । ଗତକାଲି ଏନେଇ ଇଚ୍ଛାପୁର ସମେତ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଡେଙ୍ଗୁରା ପିଟାଯାଇ ସର୍ବସାଧାରଣଙ୍କୁ ଅବଗତ କରାଯାଇଥିବା ବେଳେ ଆଜି କୋର୍ଟ ଅଧିକାରୀ ଓ କର୍ମଚାରୀଙ୍କ ଏହି କଠୋର ପଦକ୍ଷେପ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ ୨୦୦୩-୦୪ ମସିହାରେ ଆରଡି-୨ ବିଭାଗ ଅଧୀନରେ ଠିକାଦାର ରମେଶ ଚନ୍ଦ୍ର ସାମନ୍ତରାୟ ରାଜନଗର ବ୍ଲକ୍ ର ତାଳଚୁଆ ଓ ଦଳେଇସାହି ଠାରେ ପ୍ରାୟ ୧କୋଟି ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ । ପରବର୍ତୀ ସମୟରେ ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ୍ରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ସେ ନିଜର ଠିକାଦାର ଲାଇସେନ୍ସ ସରେଣ୍ଡର କରିଦେଇଥିଲେ । ତେବେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ତାଙ୍କୁ ବକେୟା ବିଲ୍ ପ୍ରଦାନ କରାଯାଇ ନଥିଲା । ନ୍ୟାୟ ପାଇଁ ଶ୍ରୀ ସାମନ୍ତରାୟ ଅଦାଲତଙ୍କ ଦ୍ୱାରସ୍ଥ ହେବା ପରେ ଏକ ଦୁଇଜଣିଆ ମଧ୍ୟସ୍ଥତା କମିଟି ନିଯୁକ୍ତ କରାଯାଇଥିଲା, ଯାହାର ରାୟ ଠିକାଦାରଙ୍କ ସପକ୍ଷରେ ଯାଇଥିଲା । ମାତ୍ର ବିଭାଗ ପକ୍ଷରୁ ଏହି ରାୟ କାର୍ଯ୍ୟକାରୀ ନ ହେବାରୁ ସେ ଅଦାଲତଙ୍କ ଆଶ୍ରୟ ନେଇଥିଲେ । କେନ୍ଦ୍ରାପଡ଼ା ବାଣିଜ୍ୟିକ କୋର୍ଟ ମଧ୍ୟ ମଧ୍ୟସ୍ଥତା କମିଟିର ରାୟକୁ କାଏମ ରଖି ବକେୟା ଅର୍ଥ ପୈଠ କରିବାକୁ ନିର୍ଦେଶ ଦେଇଥିଲେ ।
ସୁଧମୂଳ ମିଶିର୍ତର୍ମାନ ଠିକାଦାର ପ୍ରାୟ ୧ କୋଟି ୩୭ ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ବିଭାଗୀୟ ଅବହେଳା ଯୋଗୁଁ ଅଦାଲତଙ୍କ ନିର୍ଦେଶରେ ଆଜି ଆରଡି ଡିଭିଜନ-୨ କାର୍ଯ୍ୟାଳୟର ସମ୍ପତି ଜବତ କରାଯାଇଛି । ଅନ୍ୟପକ୍ଷରେ ଏହି ମାମଲାରେ ଅଦାଲତ ଦେଇଥିବା ପୂର୍ବ ରାୟକୁ ଚାଲେଞ୍ଜ କରି ବିଭାଗ ପକ୍ଷରୁ ଉପର ଅଦାଲତଙ୍କ ଦ୍ୱାରସ୍ଥ କରାଯାଇଥିବା ନେଇ ଆରଡି-୨ ଅଧୀକ୍ଷଣ ଯନ୍ତ୍ରୀ ସୁରଥ ବିଶ୍ୱାଳ ସୂଚନା ଦେଇଛନ୍ତି । ତେବେ କେନ୍ଦ୍ରାପଡ଼ା ବାଣିଜ୍ୟିକ କୋର୍ଟ (ସିଭିଲ ଜଜ୍ ସିନିଅର ଡିଭିଜନ)ଙ୍କ ନିର୍ଦେଶ ପରେ ଆଜି କୋର୍ଟର ଅଧିକାରୀ ଓ କର୍ମଚାରୀମାନେ ପହଂଚି ଆର.ଡି. କାର୍ଯ୍ୟାଳୟ ସିଲ୍ କରିବା ଘଟଣା ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛି ।
