ଅସୁରେଶ୍ୱର ଗୋରକ୍ଷଣିର ୮୧ ତମ ବାର୍ଷିକ ଉତ୍ସବ ଓ ଗୋ ପୂଜନ ସମାରୋହ ଅନୁଷ୍ଠିତ 

ନିଶ୍ଚିନ୍ତକୋଇଲି,୨୦/୧୧/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- ପବିତ୍ର ଗୋଷ୍ଠାଷ୍ଟମୀ ଅବସରରେ  କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱର ଠାରେ ରାଜ୍ୟର ସର୍ବ ବୃହତ ଗୋରକ୍ଷଣି ପ୍ରାଙ୍ଗଣରେ ଗୋମଙ୍ଗଳ ସମିତି ଆନୁକୂଲ୍ୟରେ ୮୧ ତମ ବାର୍ଷିକ ଉତ୍ସବ ଓ ଗୋ ପୂଜନ ସମାରୋହ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଷ୍ଟିଭିକ୍ଷା ଦ୍ୱାରା ପରିଚାଳିତ ଏହି ଗୋରକ୍ଷଣିରେ ଶହଶହ ଅବହେଳିତ, ପଙ୍ଗୁ, ଅସହାୟ ଗୋରୁ ଗାଈ ମାନଙ୍କ ସେବା ଯତ୍ନ ନିଆଯାଇ ଆସୁଥିବା ବେଳେ, ଏହି ଅନୁଷ୍ଠାନ ହିନ୍ଦୁ-ମୁସଲମାନ ଭାଇଚାରାର ପ୍ରତୀକ ଭାବେ ନିଆରା ପରିଚୟ ସୃଷ୍ଟି କରିଆସିଛି  ।  ଗୋ’ମଙ୍ଗଳ ସମିତି ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଗୋ ପୂଜନ,ଗୋ’ସମ୍ବର୍ଦ୍ଧନା,ଗୀତା ଓ ଗୋ’ ମାହାତ୍ମ୍ୟ ପଠନ, ଗୋ’ସ୍ୱାସ୍ଥ୍ୟ ସେବା ଶିବିର ଆଦି ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା  । ଏହି ଉତ୍ସବକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁ-ସନ୍ଥ, ଗୋ’ପ୍ରେମୀ ସାଧାରଣ ନାଗରିକ,ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା  ।   ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା,ବିଶିଷ୍ଟ ଗାନ୍ଧିବାଦୀ ନେତା ରାଜକିଶୋର ନାୟକ ଏହି ଗୋରକ୍ଷଣିକୁ ଏକ ମହତ ଗୋ’ମାତା ଙ୍କ ମନ୍ଦିର ଭାବେ ଗଢି ତୋଳିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ  ଦିବଂଗତ ଗାନ୍ଧିବାଦୀ ପୁରୁଷ ଶ୍ରୀ ନାୟକଙ୍କ ଗୋ’ସେବା ଓ ଜୀବନାଦର୍ଶ ଅନ୍ୟ ମାନଙ୍କୁ ଏଭଳି ମହତ କାର୍ୟ୍ୟ ପାଇଁ ପ୍ରେରଣା ଯୋଗାଉଛି ବୋଲି  ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ମତବ୍ୟକ୍ତ କରିଥିଲେ । ବରିଷ୍ଠ ମନ୍ତ୍ରୀ ତଥା ଗୋରକ୍ଷଣୀର ଆଜୀବନ ସେବକ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉତ୍ସବରେ ଯୋଗଦେଇଥିଲେ.ଏମ୍ସ ର ପୂର୍ବତନ ଅଧ୍ୟକ୍ଷ ଡ଼କ୍ଟର  ଅଶୋକ ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।  ଡ଼କ୍ଟର ମହାପାତ୍ର ଗୋ ମାତାଙ୍କ ମଳ, ମୁତ୍ର, ଗୋରସ ମାନବ ଜୀବନ ଧାରଣରେ କିପରି ସହାୟକ ହେଉଛି , ତାହା ବିଷଦ ଭାବେ ବର୍ଣ୍ଡନା କରିଥିଲେ । ଅନ୍ୟତମ ବକ୍ତା ଭାବେ କେନ୍ଦ୍ରାପଡ଼ା ଜିଲା ପରିଷଦ ଅଧ୍ୟକ୍ଷା ଗୀତାଂଜଳୀ ସେଠୀ ଗୋ , କନ୍ୟା ଓ ଭୂମି ମାବନ ଜୀବନର ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ବୋଲି ବର୍ଣ୍ଡନା କରିଥିଲେ । ବକ୍ତା ମାନେ ଗୋ’ସେବାକୁ ମାନବ ଜୀବନର ସର୍ବଶ୍ରେଷ୍ଠ ପୂଣ୍ୟ କାର୍ୟ୍ୟବୋଲି ସେ କହିବା ସହିତ,ଏହି ଜନ ମଙ୍ଗଳ କାର୍ୟ୍ୟରେ ସ୍ଥାନୀୟ ଅଂଚଳବାସୀଙ୍କ ଅତୁଳନୀୟ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି ଉତ୍ସବରେ ଗୋରକ୍ଷଣିର ପେଟିଏମ ର କ୍ୟୁଆର କୋର୍ଡ଼ ଉନ୍ମୋଚନ କରାଯାଇଥିଲା । ଏହି ପେଟିଏମ ସାହାଯ୍ୟରେ ଗୋରକ୍ଷଣିକୁ ହେ କେହି ଆର୍ଥିକ ସହାୟତା ପ୍ରଦାନ କରିପାରିବେ ବୋଲି କୁହାଯାଇଛି ।  ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଷ୍ଠାନ ପାଇଁ ଅକୁଣ୍ଠ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାୟକ କୃତଜ୍ଞତା ଅର୍ପଣ କରିଥିଲେ । ଶେଷରେ ଗୋରକ୍ଷଣିର ଅନ୍ୟତମ ଟ୍ରଷ୍ଟି ପ୍ରଶାନ୍ତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *