ମରଣାନ୍ତଙ୍କ ଆକ୍ରମଣରେ ଗୋଟିଏ ପରିବାରର ୩ଗୁରୁତର ଆହତ

ଥାନାରେ ମାମଲା ରୁଜୁ , ପୋଲିସ ଚୁପ ହୋଇ ବସିଛି
କେନ୍ଦ୍ରାପଡ଼ା,୧୩/୧୧/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ଏକ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ଏହି ଘଟଣାରେ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରି ଚୁପ୍ ବସିଥିବା ନେଇ ପୀଡ଼ିତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଭରତପୁର ଗ୍ରାମର ଜନ୍ମେଜୟ ଦାସଙ୍କ ପତ୍ନୀ ରୂପବନ୍ୟା ଦାସ ଏନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଗ୍ରାମର ରାମଚନ୍ଦ୍ର ସାହୁ, ରଶ୍ମିରଞ୍ଜନ ସାହୁ, ଅମୀୟରଞ୍ଜନ ସାହୁ ଓ ମିନତୀ ସାହୁ ସଂଘବଦ୍ଧ ଭାବେ ଜନ୍ମେଜୟଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ବିଶେଷ କରି ଅଭିଯୁକ୍ତ ରଶ୍ମିରଞ୍ଜନ ଏକ ଧାରୁଆ ଭୁଜାଲିରେ ଜୀବନରୁ ମାରିଦେବା ଉଦେଶ୍ୟରେ ଆକ୍ରମଣ କରି ମୁଣ୍ଡ, କାନ୍ଧ ଓ ହାତକୁ ହାଣି ପକାଇଥିଲା । ଏହି ଅତର୍କିତ ଆକ୍ରମଣରେ ରୂପବନ୍ୟାଙ୍କ ଶ୍ୱଶୁର ମନୋଜ କୁମାର ଦାସ (୬୪), ଶାଶୁ ବାସନ୍ତୀ ଦାସ (୬୦) ଏବଂ ସ୍ୱାମୀ ଜନ୍ମେଜୟ ଦାସ (୩୦) ରକ୍ତାକ୍ତ ଓ ଗୁରୁତର ଆହତ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସେଠାରେ ତିନିଜଣଯାକ ଏବେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଅନ୍ୟପକ୍ଷରେ ରୂପବନ୍ୟାଙ୍କ ଏତଲାକୁ ଭିତି କରି କେନ୍ଦ୍ରାପଡ଼ା ସଦର ଥାନା ପୋଲିସ କେସ୍ ନମ୍ବର ୬୫୧ରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଦଫା ୧୨୬(୨), ୭୪, ୧୧୫(୨), ୧୧୭(୨), ୧୦୯, ୩୫୧(୩), ୧୩୧ ଓ ୩(୫) ଅନୁଯାୟୀ ଏକ ମାମଲା ରୁଜୁ କରିଛି । ତେବେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଅଭିଯୁକ୍ତମାନେ ଖୋଲାଖୋଲି ଭାବେ ବାହାରେ ବୁଲୁଥିବାରୁ ପୀଡ଼ିତ ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପୋଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *