ମହିଳାମାନଙ୍କ ଆର୍ଥିକସ୍ଥିତିରେ ସୁଧାର ପାଇଁ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଶୋଷଣ ବିରୁଦ୍ଧରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ

ଭୁବନେଶ୍ୱର,୨୦/୧୨/୨୦୨୫ (ଓଡ଼ିଶା ସମାଚାର)- ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ମହିଳାମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ରାଜ୍ୟରେ ଦସ୍ତଖତ ଅଭିଯାଚାଲିିଥିଲା । ମୁଖ୍ୟ କଥା ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନୂତନ ନୀତି ଗୁଡ଼ିକ ମହିଳାମାନଙ୍କୁ ସିଧାସଳଖ ଲୁଟ କରିବା ପାଇଁ ଅର୍ଥ ଲଗାଣକାରୀ ସଂସ୍ଥାକୁ ପ୍ରୋତ୍ସାହିତ କରୁଛି । ପ୍ରଚଳିତ ସୁଧ ହାରକୁ ପ୍ରବଳ ମାତ୍ରାରେ ବୃଦ୍ଧି କରାଯାଇଛି । ଯାହାଦ୍ୱାରା ଜାତୀୟ ବ୍ୟାଙ୍କ ଗୁଡ଼ିକ କ୍ଷୁଦ୍ର ଋଣ ଦେବା କଥା, ସେମାନେ ଋଣ ଦେଉନାହାଁନ୍ତି ।

ସେହି ଜାତୀୟବ୍ୟାଙ୍କମାନେ ବେସରକାରୀ ସଂସ୍ଥା ଯଥା ମାଇକ୍ରୋ ଫାଇନାନ୍ସ ସଂସ୍ଥାମାନଙ୍କୁ ଅଗ୍ରାଧିକାର ତାଲିକାରେ ସାମିଲ୍ କରି ଶହ ଶହ କୋଟି ଟଙ୍କା ଋଣ ଦେଇଛନ୍ତି । ଏହି ସଂସ୍ଥାମାନେ ନିଜ ଇଚ୍ଛାରେ ସୁଧ ହାର ଠିକ୍ କରିବା ସହିତ ଗରିବ ଲୋକଙ୍କ ଠାରୁ ଚଢା ସୁଧ ଆଦାୟ କରୁଛନ୍ତି । ଏଥିରେ ବିଶେଷ ଭାବରେ ମହିଳାମାନେ ପ୍ରଭାବିତ ହେଉଛନ୍ତି । ଏପରିକି ୧ରୁ ଅଧିକ ଋଣ କରି ମହିଳାମାନେ ଋଣଯନ୍ତାରେ ପଡ଼ିଯାଇଛନ୍ତି । ଗରିବ, କୃଷକ ଓ ମହିଳାମାନଙ୍କୁ ମୋହଗ୍ରସ୍ତ କରାଇ ବ୍ୟକ୍ତିଗତ ଓ ସାମୂହିକ ଋଣ ଦେଇ ସେମାନଙ୍କ ଠାରୁ ପ୍ରୋସେସିଂ ଫି, ବୀମା ଫି ଇତ୍ୟାଦି ବାର୍ଷିକ ଅଧିକ ଚଢା ସୁଧ ହାରରେ ଲୁଟ୍ କରାଯାଉଛି । ସାପ୍ତାହିକ ଓ ପନ୍ଦରଦିନିଆ ବୈଠକ ନାମରେ ଗୁଣ୍ଡାମାନଙ୍କୁ ବ୍ୟବହାର କରି ଅର୍ଥ ଆଦାୟ କରାଯାଉଛି । ସେଥିପାଇଁ ଆଜି ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଗଣତାନ୍ତ୍ରିକ ମହିଳା ସମିତିର ସଭାନେତ୍ରୀ ସାଥୀ ଶୁଶୀଳା ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ସର୍ବଭାରତୀୟ ନେତ୍ରୀ ସାଥୀ ବିନ୍ଦ୍ରା କରାତ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ, କେନ୍ଦ୍ରରେ ଆର.ଏସ୍.ଏସ୍ ପରିଚାଳିତ ବିଜେପି ସରକାର ଓ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିବା ପରେ ଦେଶରେ ଏକ ବିପର୍ଯ୍ୟସ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସରକାରଙ୍କର ଆର୍ଥିକ ନୀତି ଏବଂ ଆର.ଏସ୍.ଏସ୍.ର ମନୁବାଦୀ ଦର୍ଶନର ମିଳିତ ଆକ୍ରମଣ ଫଳରେ ସମସ୍ତ ଶ୍ରେଣୀର ମଣିଷଙ୍କ ଉପରେ ଆକ୍ରମଣ ବଢିଚାଲିଛି । ବିଶେଷକରି ମହିଳାମାନେ ବେଶୀ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ସେମାନଙ୍କ ଉପରେ ଆକ୍ରମଣ ବଢିଚାଲିଛି, ମହିଳାମାନେ ଋଣଯନ୍ତାରେ ପଡ଼ି, ସେଥିରୁ ମୁକୁଳିପାରୁ ନାହାଁନ୍ତି । ସର୍ବଭାରତୀୟ ସମ୍ପାଦିକା ସାଥୀ ତାପସୀ ପ୍ରହରାଜ, ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ମିନତୀ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଗଣତାନ୍ତ୍ରିକ ମହିଳା ସମିତିର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସରଳ ପଦ୍ଧତିରେ ସରକାରୀ ବ୍ୟାଙ୍କ ଦ୍ୱାରା ବିନା ସୁଧରେ ଋଣ ଯୋଗାଇ ଦିଆଯାଉ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଋଣ ପାଇଁ ଅଗ୍ରାଧିକାର ଦେବା ସହିତ ପ୍ରତି ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସିଭିଲ କୁ ବାଧ୍ୟତାମୂଳକ କରାନଯାଉ, କୋଭିଡ୍ ସମୟରେ ନିଆଯାଇଥିବା କିସ୍ତି ଓ ଜୋରିମାନାକୁ ଫେରସ୍ତ କରାଯାଉ, ମାଇକ୍ରୋ ଫାଇନାନ୍ସ ସମେତ ବେସରକାରୀ ଆର୍ଥିକ ସଂସ୍ଥାଦ୍ୱାରା ପ୍ରଦାନ କରାଯାଉଥିବା ଋଣ ୧୨ ପ୍ରତିଶତରେ ସୀମିତ ରଖାଯାଉ, ମାଇକ୍ରୋ ଫାଇନାନ୍ସ ସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆଇନ ପ୍ରଣୟନ କରାଯାଉ, ମାଇକ୍ରୋ ଫାଇନାନ୍ସ ସଂସ୍ଥାଦ୍ୱାରା ମହିଳାମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ଅଭିଯୋଗ ଗୁଡ଼ିକର ସମାଧାନ ନିମନ୍ତେ ପ୍ରତି ବ୍ଲକରେ ସ୍ୱତନ୍ତ୍ର ଅଭିଯୋଗ ନିବାରଣ ପ୍ରକୋଷ୍ଠ ଗଠନ କରାଯାଉ, ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ମାଇକ୍ରୋ ଫାଇନାନ୍ସର ଶୋଷଣ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ସହିତ ସେମାନଙ୍କୁ ମାଗଣା ଆଇନ ସେବା ଯୋଗାଇ ଦିଆଯାଉ ଆଦି ୧୦ ଦଫା ଦାବିପତ୍ର ଆରବିଆଇ ଗଭର୍ଣ୍ଣରଙ୍କୁ ପ୍ରଦାନ କରାଯାଇଥିଲା ।

ସର୍ବପ୍ରଥମେ ମାଷ୍ଟର କ୍ୟାନଟିନ୍ ଛକରୁ ଶହ ଶହ ମହିଳାଙ୍କ ଏକ ଶୋଭାଯାତ୍ରା ବାହାରି ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ପହଂଚିଥିଲେ । ଏହି ଶୋଭାଯାତ୍ରାରେ ସାଥୀ ଚିନ୍ମୟୀ ରାଉତ, ବିମଳୀ ନାୟକ, ପ୍ରଭାତି ଜେନା, ହରପି୍ରୟା ଜେନା, ଶୈଳ ତି୍ରପାଠୀ, ମମତା ଜେନା, ସ୍ନେହଲତା ପଣ୍ଡା, ଶୁଶୀଳା ମୁଣ୍ଡା, ନିରୁପମା ନାୟକ ରଶ୍ମୀ, ସୀମା, ଜ୍ୟୋତ୍ସ୍ନା ସୁବୁଦ୍ଧି, ବିଷ୍ଣୁ ସାହୁ, ସୀତରାଣୀ ଦାସ, ଜ୍ୟୋତିପ୍ରଭା ଜେନା ପ୍ରମୁଖ ସାମିଲ୍ ହୋଇଥିଲେ ।

Leave a Reply

Your email address will not be published. Required fields are marked *