ଆନ୍ତଃରାଜ୍ୟ ସାଇବର ଠକେଇ ମାମଲାରେ ୭ ଗିରଫ

କ୍ରାଇମବ୍ରାଂଚର ତଦନ୍ତ ଜାରି
କଟକ,୨୯/୦୪/୨୦୨୫(ଓଡ଼ିଶା ସମାଚାର)- ଆନ୍ତରାଜ୍ୟ ସାଇବର ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଂଚ ବିଭିନ୍ନ ରାଜ୍ୟରୁ ୭ ଜଣଙ୍କୁ ଗିରଫ କରିଛି । ୪ଟି ପୃଥକ ପୃଥକ ମାମଲାରେ ୭ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଂଚ ଡିଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଉତରପ୍ରଦେଶ ରାଜ୍ୟ ଆଗ୍ରା ଜିଲା ତାଜଗଂଜ ଥାନା ଅଂଚଳରେ ରହୁଥିବା ଅଂଶୁମାନ ଶର୍ମା (୨୪) ଉତର ପ୍ରଦେଶ ରାଜ୍ୟ ପ୍ରତାପଗଡ଼ ଜିଲା କୁଣ୍ଡୁ ଥାନା ଅଂଚଳରେ ରହୁଥିବା ଅରବିନ୍ଦ କୁମାର (୩୫), ଗୁଜୁରାଟ ରାଜ୍ୟ ସୁରଟ ଜିଲା ଛପରାଭଥା ରୋଡ଼ ଅନ୍ତର୍ଗତ ରାମଦେବ ଆପାର୍ଟମେଂଟରେ ରହୁଥିବା ହିତେଶ ଭାଇ ପାତ୍ର (୩୯), ଗୁଜୁରାଟ ରାଜ୍ୟ ଅହମଦାବାଦ ଅଂଚଳ ଅନ୍ତର୍ଗତ ସର୍ଦ୍ଧାରପଟେଲ ରୋଡ଼ରେ ରହୁଥିବା ପାର୍ଥ ପାରମର (୨୫), ଗୁଜୁରାଟ ରାଜ୍ୟ ମନସକାଣ୍ଠା ଜିଲାର ଠକ୍କର କରସାନ୍ଜି ସୋହବଜୀ (୪୮), ଗୁଜୁରାଟ ଖେରା ଜିଲା କପଡ଼ଭଞ୍ଜ ଗ୍ରାମର କ୍ୟୁରେସି ମହମ୍ମଦ ଅସଲମ (୩୧) ଓ ଉତର ପ୍ରଦେଶ ରାଜ୍ୟ ପ୍ରୟାଗରାଜ ଜିଲାର ଆକାଶ କେଶୱାଲି (୩୩) ।

କ୍ରାଇମବ୍ରାଂଚ ଅଭିଯୁକ୍ତମାନଙ୍କ ଠାରୁ ଲ୍ୟାପଟପ, ମୋବାଇଲ ଫୋନ, ସିମକାର୍ଡ଼, ଆଧାରକାର୍ଡ଼, ପ୍ୟାନ କାର୍ଡ଼, ଚେକବୁକ, କ୍ରେଡିଟ କାର୍ଡ଼, ରବର ଷ୍ଟାମ୍ପ ଓ  ପେନ୍ ଡ୍ରାଇଭ ଜବତ କରିଛି । ଜଣଙ୍କ ନାଁରେ ୨୭ଲକ୍ଷ ଓ ଅନ୍ୟ ଜଣକ ନାଁରେ ୨୫ ଲକ୍ଷ ଠକେଇ ଅଭିଯୋଗ ରହିଥିବା କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି । ସବୁ ଦିଗକୁ ବିଚାର କରି ଏତଲାକାରୀଙ୍କ ନାମ ଗୋପନ ରଖାଯାଇଛି ବୋଲି କ୍ରାଇମବ୍ରାଂଚ ଡିଜି ସୂଚନା ଦେଇଛନ୍ତି । ବିଭିନ୍ନ ସାଇବର ଠକେଇ ମାମଲାର କ୍ରାଇମବ୍ରାଂଚ ପକ୍ଷରୁ ତଦନ୍ତ ଜାରି ରହିଛି ।


ଆଗକୁ ଆହୁରି ଅଧିକ ସଂଖ୍ୟାରେ ଅପରାଧି ଧରା ପଡ଼ିବେ ବୋଲି କ୍ରାଇମବ୍ରାଂଚ ଡିଜି ସୂଚନା ଦେଇଛନ୍ତି । ନାଗରିକମାନଙ୍କୁ ସୋସିଆଲ ମିଡ଼ିଆ ତଥା ମେସେଜିଙ୍ଗ ଆପରେ ଅବା‚ିତ ଅଫରର ରୁ ସାବଧାନ ରହିବାକୁ କ୍ରାଇମବ୍ରାଂଚ ପକ୍ଷରୁ ଅନୁରୋଧ କରାଯାଇଛି । ସାଇବର ଠକେଇର ଶିକାର ନହେବା ପାଇଁ ନିବେଶ କରିବା ପୂର୍ବରୁ ଯାଂଚ କରିବାକୁ ମଧ୍ୟ ସତର୍କ କରାଯାଇଛି । ଠକେଇର ଶିକାର ହେଲେ ୧୯୩୦ ସାଇବର ହେଲପ ଲାଇନ କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନରେ ଏହି ବିଷୟରେ ରିର୍ପୋଟ କରିବାକୁ କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *