କେନ୍ଦ୍ରାପଡ଼ା,୧୮/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତତା ପ୍ରକୋଷ୍ଠ (ଆଇକୁ୍ୟଏସି) ପକ୍ଷରୁ ଗୁରୁବାର “ଗବେଷଣା ପ୍ରସ୍ତାବ ଲେଖନ ଓ ପାଣ୍ଠି ସଂଗ୍ରହ: ଧାରଣାରୁ ଅନୁମୋଦନ ପର୍ଯ୍ୟନ୍ତ” ଶୀର୍ଷକରେ ଏକ ଜାତୀୟ ସ୍ତରୀୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ଇଂରାଜୀ ବିଭାଗ ମୁଖ୍ୟ ଡ଼. ପୂର୍ବାଶା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମରେ ଉଦଘାଟନୀ ସମ୍ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଆଇକୁ୍ୟଏସି ଆଭ୍ୟନ୍ତରୀଣ ସଦସ୍ୟ ପ୍ରଫେସର ରଞ୍ଜିତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଇକୁ୍ୟଏସି ସଂଯୋଜିକା ଡ଼. ଦିପ୍ତୀ ରାୟ କର୍ମଶାଳାର ଉଦ୍ଧେଶ୍ୟ ଉପସ୍ଥାପନ କରିଥିଲେ । ପ୍ରଥମ ସତ୍ରରେ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଡ଼. ହିମାଂଶୁ ଶେଖର ରାଉତ “ଗବେଷଣା ପ୍ରସ୍ତାବ ଲେଖନ” ବିଷୟରେ ଆଲୋଚନା କରିଥିଲେ । ଦ୍ୱିତୀୟ ସତ୍ରରେ ନୂଆଦିଲ୍ଲୀ ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଡ଼. ମୀନକେତନ ବେହେରା “ଗବେଷଣା ପ୍ରସ୍ତାବ ପାଇଁ ପାଣ୍ଠି ସଂଗ୍ରହ” ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମର ଶେଷରେ ୟୁଜିସି ସଂଯୋଜକ ଡ଼. ଦେବକାନ୍ତ ଷଡଙ୍ଗୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କର୍ମଶାଳାକୁ କ୍ୟାପଟେନ ସୀମା ମହାନ୍ତି ସଂଯୋଜନା କରିଥିଲେ । ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ ଓ ଗବେଷିକାମାନେ ଯୋଗଦେଇଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ବରିଷ୍ଠ ପ୍ରାଧ୍ୟାପକ ମାନେ ସହଯୋଗ କରିଥିଲେ । ଏହି ଜାତୀୟ କାର୍ଯ୍ୟଶାଳା ଶିକ୍ଷକ, ଗବେଷକ ଓ ଗବେଷଣାରେ ଆଗ୍ରହୀ ଅଂଶଗ୍ରହୀମାନଙ୍କ ପାଇଁ ବେଶ୍ ଉପକାରୀ ହେବ ବୋଲି ଆୟୋଜକ ମଣ୍ଡଳୀ ଆଶା ପ୍ରକାଶ କରିଛନ୍ତି ।
