ମହାନଦୀ ବିହାର ଶିଶୁ ବିଦ୍ୟା ମନ୍ଦିରରେ ସ୍ବାଧୀନତା ଦିବସ ଓ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳନ

କଟକ,୧୬/୦୮/୨୦୨୫ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ମହାନଦୀ ବିହାର,ଶିଖରପୁର,କଟକଠାରେ ୭୯ତମ ସ୍ୱାଧୀନତା ଦିବସ ଓ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି ।

ବିଦ୍ୟା ମନ୍ଦିର ପରିଚାଳନା ସମିତିର ସଭାପତି ସୁଶ୍ରୀ ପ୍ରତିମା ଶତପଥୀଙ୍କ କରକମଳରେ ଉତ୍ସବ ଉଦଘାଟିତ ହୋଇଥିଲା। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ର ସେବାରେ ନିଜ ନିଜର ଜୀବନକୁ ଉତ୍ସର୍ଗ କରିବା ପାଇଁ ଆହ୍ବାନ ଦେଇଥିଲେ।

ପ୍ରଧାନ ଆଚାର୍ୟ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାଶ ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ବରିଷ୍ଠ ଆଚାର୍ୟ୍ୟ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ନାୟକ ମଞ୍ଚ ସଂଯୋଜନା କରିଥିଲେ। ଶେଷରେ ଦିବା ପର୍ୟ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ଚକ୍ରଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ଦିବସର ଏକ ବିଶେଷ ଆକର୍ଷଣ ଥିଲା ଭବ୍ୟ ପଥ ସଞ୍ଚଳନ। ସଞ୍ଚଳନରେ ପରିଚାଳନା ସମିତିର ଉପସଭାପତି ଡଃ ଦେବବ୍ରତ ପୃଷ୍ଟି, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଭାଗିରଥୀ ଦଳାଇ ପ୍ରମୁଖ କାର୍ୟ୍ୟକର୍ତ୍ତା ଏବଂ ଗୁରୁଜୀ ଗୁରୁମାମାନଙ୍କ ସହଯୋଗରେ ଘୋଷ,ସ୍କାଉଟ,ଗାଇଡ଼, ଏନ.ସି.ସି.ର ଶିଶୁ ଭାଇଭଉଣୀମାନଙ୍କ ସମାବେଶ ବିଦ୍ୟାଳୟ ପରିସରରୁ ବାହାରି ହାରାମଣି ମଣ୍ଡପ,ଶ୍ୟାମାକାଳୀ ଛକ,ଶିଖରପୁର ଛକ ଓ ମହାନଦୀ ବିହାର ଦେଇ ବିଦ୍ୟାଳୟରେ ପହଞ୍ଚି ଥିଲା।

ଶେଷରେ ସମସ୍ତ ଶିଶୁ ଭାଇ ଭଉଣୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସେହିପରି ବିଦ୍ୟାଳୟ ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ତଥା କୁନିକୁନି ଶିଶୁମାନଙ୍କର ଶ୍ରୀକୃଷ୍ଣ ଓ ଶ୍ରୀରାଧା ବେଶ ପ୍ରଦର୍ଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅଭିଭାବକ ମାଆମାନଙ୍କ ଦ୍ବାରା ବନ୍ଦାପନା ଓ ନଗର ପରିକ୍ରମା ହୋଇଥିଲା। ସମସ୍ତଙ୍କର ସହଯୋଗରେ କାର୍ୟ୍ୟକ୍ରମଟି ବେଶ ଉପଭୋଗ୍ୟ ହୋଇଥିଲା।

Leave a Reply

Your email address will not be published. Required fields are marked *