ନିଶ୍ଚିନ୍ତକୋଇଲି, ୧୯/୦୬/୨୦୨୫ (ଓଡ଼ିଶା ସମାଚାର /ଅଭୟ ଜେନା )- ଯାତ୍ରା କଳାକାର ଙ୍କୁ ପ୍ରାପ୍ୟ ନଦେଇ ଯାତ୍ରା ପାର୍ଟି ମାଲିକ କଳାକାର ମାନଙ୍କୁ ଯାତ୍ରା ହେଉଥିବା ସ୍ଥାନରେ ଛାଡି ରାତି ଅଧିଆ ଛୁ… ମାରିଥିବା ଅଭିଯୋଗ ହୋଇଛି। ଯାତ୍ରା କଳାକାରମାନେ ନିଜର ପ୍ରାପ୍ୟ ଯାତ୍ରା ମାଲିକ ଠାରୁ ନପାଇବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
କଟକ ଜିଲ୍ଲା ନେମାଳ ଥାନା ଜନାର୍ଦ୍ଦନପୁର ପଂଚାୟତ ଶନିଶ୍ଚର ଙ୍କ ପୀଠରେ ଗତ ରଜ ତିନିଦିନ ବ୍ୟାପୀ ମର୍ଡନ ଓଡ଼ିଶା ନାମକ ଛୋଟ କାଟିଆ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଥିଲା। ତିନି ଦିନ ରାତ୍ରରେ ଯାତ୍ରା ସମାପ୍ତ ପରେ କମିଟି ଠାରୁ ସମସ୍ତ ଟଙ୍କା ଯାତ୍ରା ପାର୍ଟି ମାଲିକ ନେଇଯାଇଥିଲେ। ସଂପୃକ୍ତ ଯାତ୍ରା ପାର୍ଟି ର କଳାକାର ମାଲିକ ଙ୍କୁ ତାଙ୍କର ପ୍ରାପ୍ୟ ବା ବେତନ ମାଗିବାରୁ ମାଲିକ କହିଥିଲେ,ଆଉ ଗୋଟିଏ ଯାତ୍ରା ଆଡଭାନ୍ସ ଅଛି ଭୁବନେଶ୍ୱରର ରଙ୍ଗବାଜାର ଠାରେ ହେବ , ଆଉ ସମସ୍ତ କଳାକାର ଆସ ସେଠାରେ ଯାହାର ଯାହା ପ୍ରାପ୍ୟ ଦେଇଦିଆଯିବ। ଏହା ଶୁଣି କଳାକାରମାନେ ରାଜି ହୋଇନଥିଲେ ।
କହିଥିଲେ ଏଭଳି ବିଭିନ୍ନ ସ୍ଥାନରେ ଯାତ୍ରା କଲା ପରେ ଅନ୍ୟ ସ୍ଥାନରେ ପ୍ରାପ୍ୟ ଦେବ ବୋଲି କହୁଚ ହେଲେ ଦେଉନାହଁ । ତେଣୁ ଏଠାରେ ଆମର ପ୍ରାପ୍ୟ ଦେଲେ ଆମେ ଅନ୍ୟ ସ୍ଥାନକୁ ଯାତ୍ରା କରିବାକୁ ଯିବୁ। ଏହା ପରେ ଯାତ୍ରା ମାଲିକ ଯାତ୍ରା ସ୍ଥଳରୁ ଖସି ପଳାଇ ଯାଇଥିବା ଅଭିଯୋଗ କରିଛନ୍ତି କଳାକାରମାନେ। ଏହା ପରେ ୧୫ ରୁ ୧୬ ଜଣ ମହିଳା ଓ ପୁରୁଷ କଳାକାର ଅର୍ଥ ନଥିବାରୁ ନିଜ ସ୍ଥାନକୁ ଫେରିନପାରି ଭୋକ ଉପାସ ରେ ରହିଥିଲେ । ଉକ୍ତ ସ୍ଥାନରେ ୩ ଦିନ ଭୋକ ଉପାସରେ ରହିଯିବା ପରେ ଗ୍ରାମବାସୀମାନେ ମାନବିକତା ଦୃଷ୍ଟିରୁ କଳାକାରମାନଙ୍କୁ ଖାଦ୍ୟ ଯୋଗାଇ ଦେବା ସହିତ ସ୍ଥାନୀୟ ସରପଞ୍ଚ ରହିବା ପାଇଁ ଘର ଯୋଗାଇ ଦେଇଛନ୍ତି।
ଏ ବାବଦରେ ଆମେ ମର୍ଡନ ଓଡ଼ିଶା ଯାତ୍ରା ପାର୍ଟି ର ମାଲିକ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ହେଁ, ସେ ଫୋନ୍ ଉଠାଇ ନଥିଲେ। ଏପଟେ ନେମାଳ ଥାନା ଅଧିକାରୀ ଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ମର୍ଡନ ଓଡ଼ିଶା ଯାତ୍ରା ପାର୍ଟି ମାଲିକ ଙ୍କୁ ଥାନା କୁ ଡକାଯାଇଛି । ସେ ଆସିଲେ ଘଟଣାର ସତ୍ୟତା ଜଣାପଡ଼ିବ।