ସାଂସଦ ଓ ବିଧାୟକଙ୍କ ଦ୍ୱାରା ଵଦଳି ପାଇଁ ସୁପାରିସ ଆଦେଶ ରଦ୍ଦ
କଟକ ସଦର, ୨୮/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଧାୟକ ଓ ସାଂସଦ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ନିଷ୍ପତ୍ତିକୁ ବିରୋଧ କରି ଆଗତ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ୧୩ ମେ ୨୦୨୫ ଆଦେଶକୁ ରଦ୍ଦ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ଅଦାଲତ ନାପସନ୍ଦ କରିବା ସହ ବିଧାୟକ ଓ ସାଂସଦଙ୍କ ସୁପାରିସରେ ହୋଇଥିବା ସମସ୍ତ ବଦଳି ବାତିଲ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ବଦଳି ବାତିଲ ଆଦେଶ ଶିକ୍ଷା ବର୍ଷ ଅଧାରୁ ନୁହେଁ, ଶିକ୍ଷା ବର୍ଷ ଶେଷ ପରେ ନିଜ ସ୍ଥାନକୁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଫେରାଇ ଅଣାଯିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ସାଂସଦ-ବିଧାୟକଙ୍କ ସୁପାରିସରେ ବଦଳି ହୋଇଥିଲେ ସେମାନେ ନିଜର ପୂର୍ବ ସ୍କୁଲକୁ ଫେରିବେ। ବିଚାରପତି ଦୀକ୍ଷିତ କୃଷ୍ଣ ଶ୍ରୀପଦ ଏ ସଂକ୍ରାନ୍ତରେ ଦାୟର ୩୦ରୁ ଅଧିକ ରିଟ୍ ପିଟିସନ୍କୁ ଏକତ୍ର ଶୁଣାଣି କରି ଗୁରୁବାର ଏହି ରାୟ ପ୍ରକାଶ କରିଛନ୍ତି।
ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଵଦଳି କରିପାରିବେ ନାହିଁ ସାଂସଦ ଓ ବିଧାୟକ। ଏଭଳି ନିୟମ ଆଇନର ବିରୁଦ୍ଧାଚରଣ କରୁଛି ବୋଲି କଡ଼ା ଭାଷାରେ ଭର୍ତ୍ସନା କରି ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଏଭଳି ବିଜ୍ଞପ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରିଥିବା ଜଣାପଡିଛି। ଏଥିସହିତ ଯେଉଁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଵଦଳି ହୋଇ ଯାଇଛନ୍ତି ସେମାନେ ଆସନ୍ତା ଶିକ୍ଷାବର୍ଷ ପର୍ଯ୍ୟନ୍ତ ସେହି ବିଦ୍ୟାଳୟରେ କାର୍ଯ୍ୟ କରି ପୁନର୍ବାର ମୂଳ ବିଦ୍ୟାଳୟକୁ ଫେରି ଆସିବେ ବୋଲି ହାଇକୋର୍ଟ କହିଛନ୍ତି। ଏହା ଜଣାପଡିବା ପରେ ଏହା ଦ୍ୱାରା ସ୍ୱଚ୍ଛତା ରକ୍ଷା ହେଲା ବୋଲି ମତପୋଷଣ କରି ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।
ସୂଚନା ଯେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ମେ ମାସ ୧୩ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ଦର୍ଶାଯାଇଥିଲା ସାଂସଦ ଏବଂ ବିଧାୟକ ମାନେ ସେମାନଙ୍କ ଅଞ୍ଚଳର ୧୫ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ଵଦଳି କରିପାରିବେ। ଶିକ୍ଷାଦାନ କ୍ଷେତ୍ରରେ ସ୍ୱଚ୍ଛତା ନିହାତି ଆବଶ୍ୟକ। ଏଥିପାଇଁ ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି କେତେକ ଶିକ୍ଷକ/ଶିକ୍ଷୟିତ୍ରୀ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଵଦଳି ଆଦେଶ ବିଜ୍ଞପ୍ତି ସମସ୍ତ ସରକାରୀ ଚାକିରିଆଙ୍କ ଭଳି ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।
