ଡିସେମ୍ବର ୧ ରୁ ଅନ୍ ଲାଇନ୍ ରେ ଟିକେଟ ବିକି୍ର – ଡିସେମ୍ବର ୫ରେ କାଉନ୍ଟରରେ ଟିକେଟ ବିକି୍ର – ମୋଟ ୬ଟି କାଉନ୍ଟରରେ ବିକି୍ର ହେବ ଟିକେଟ – କଟକ-ଇନ-କଟକରେ ହେବ ଫ୍ୟାନ ଗ୍ୟାଲେରୀ – ବାଲିଯାତ୍ରା ତଳ ପଡ଼ିଆରେ ହେବ ଗାଡ଼ି ପାର୍କିଂ -ଜିଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
କଟକ,୧୮/୧୧/୨୦୨୫(ଓଡ଼ିଶା ସମାଚାର)- ପୁଣି ଥରେ କମ୍ପିବ ବାରବାଟୀ । ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫି୍ରକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଟି-୨୦ ମ୍ୟାଚ । ୨ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ସିରିଜର ଏହା ହେଉଛି ପ୍ରଥମ ମ୍ୟାଚ । ଏଥିପାଇଁ ଓଡ଼ିଶା କି୍ରକେଟ ଆସୋସିଏସନ (ଓସିଏ) ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଟିକେଟ ବିକି୍ର ନେଇ ଓସିଏ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉନ୍ଟରରେ ଟିକେଟ ବିକି୍ର କରାଯିବ ବୋଲି ଓସିଏ ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି ।
ଡିସେମ୍ବର ୧ ରୁ ଅନ ଲାଇନ ରେ ଟିକେଟ ବିକି୍ର ଆରମ୍ଭ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଜୋମାଟୋ ଦ୍ୱାରା ଅନଲାଇନରେ ଟିକେଟ ବିକି୍ର ହେବ । ସେହିପରି ଡିସେମ୍ବର ୩ ଓ ୪ ତାରିଖରେ ଅନୁବନ୍ଧିତ ସଂସ୍ଥା ଓ କ୍ଲବମାନଙ୍କୁ ଅଫଲାଇନ ଜରିଆରେ ଷ୍ଟାଡ଼ିୟମ ପରିସରରେ ଟିକେଟ ବିକି୍ର କରାଯିବ । ସେହିଭଳି ଡିସେମ୍ବର ୫ ତାରିଖରେ ସର୍ବସାଧାରଣଙ୍କ ପାଇଁ କାଉନ୍ଟରରେ ଟିକେଟ ବିକି୍ର କରାଯିବ ବୋଲି ଓସିଏ ସଂପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ମୋଟ ୬ଟି ଟିକେଟ କାଉନ୍ଟରରେ ଟିକେଟ ବିକି୍ର ହେବ । ତେବେ କେତେ ସଂଖ୍ୟାରେ ଟିକେଟ ବିକି୍ର ହେବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇନାହିଁ ବୋଲି, ଓସିଏ ସଂପାଦକ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ବାରବାଟୀ ଟି-୨୦ ମ୍ୟାଚ ପାଇଁ କଟକ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି ।
ଓସିଏ ସଂପାଦକଙ୍କ ସହ ଅନ୍ୟ କ୍ରୀଡ଼ା ସଂଗଠକ ଓ ବିଭିନ୍ନ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । ଶୃଙ୍ଖଳିତ ଭାବେ ମ୍ୟାଚ ଆୟୋଜନ ପାଇଁ ବୈଠଳରେ ଆଲୋଚନା ହୋଇଥିଲା । ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରାଯିବ । ମ୍ୟାଚ ସମୟରେ ଏକ ଗ୍ରୀନ କରିଡର ରଖାଯିବ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସସିବିରେ ୨୦ଟି ବେଡ଼ ପ୍ରସ୍ତୁତ ରଖାଯିବ । ଟିକେଟ ବିକି୍ର ବେଳେ ଗହଳି ନହେବା ପାଇଁ ଲମ୍ବା ଧାଡ଼ି କରାଯିବ । କଟକ-ଇନ-କଟକରେ ଫ୍ୟାନ ଗ୍ୟାଲେରୀ ତିଆରି ହେବ । ଏ ନେଇ ଜିଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ,୨୦୨୫ମସିହାରେ ବାରବାଟୀରେ ଦ୍ୱିତୀୟଥର ପାଇଁ ଅନ୍ତର୍ଜାତୀୟ କି୍ରକେଟ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଏବେ ପୁଣି ଥରେ କ୍ରିକେଟ ପ୍ରେମୀ ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫି୍ରକା ମଧ୍ୟରେ ଟି-୨୦ ମ୍ୟାଚର ମଜା ଉଠାଇବେ । ଏହି ଗ୍ରାଉଣ୍ଡରେ ଶେଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ୨୦୨୨ ଜୁନ ୧୨ ତାରିଖରେ ସେହି ଦକ୍ଷିଣ ଆଫି୍ରକା ବିପକ୍ଷରେ ଖେଳା ଯାଇଥିଲା ।
