ଡିସେମ୍ବର ୧ ରୁ ୭ ପର୍ଯ୍ୟନ୍ତ ପୁରୀ ଜିଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା

ପୁରୀ,୧୮/୧୧/୨୦୨୫(ଓଡ଼ିଶା ସମାଚାର)- ପୁରୀ ଜିଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା କୋଣାର୍କ ଚନ୍ଦ୍ରଭାଗା ଠାରେ ଆଗାମୀ ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲାପାଳ ଦିବ୍ୟ ଜ୍ୟୋତି ପରିଡା କୋଣାର୍କ ନୃତ୍ୟ ମହୋତ୍ସବ, ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ସହ ସୁଭଦ୍ରା ଶକ୍ତି ମେଳା ଏକ ସମୟରେ ଆୟୋଜନ ହେଉଥିବାରୁ ଗହଳିର ଆଶା କରାଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗମନାଗମନ ସୁବିଧା, ପରିସ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା ଇତ୍ୟାଦିକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଯେଉଁ ବିଭାଗର ଯାହା ଦାୟିତ୍ୱ ତାହାକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲାପାଳ ନିର୍ଦେଶ ଦେଇଥିଲେ । ପ୍ରାରମ୍ଭରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ ସହ ଚଳିତ ବର୍ଷର ସୁଭଦ୍ରା ଶକ୍ତି ମେଳା ଚନ୍ଦ୍ରଭାଗା ଠାରେ ଆୟୋଜିତ ହେବ । ହସ୍ତଶିଳ୍ପ ସହ ପ୍ରାୟ ୨୦୦ ଷ୍ଟଲର ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଥିଲେ । ପାର୍କିଂ ସ୍ଥଳ ଚିହ୍ନଟ, ବ୍ୟବହାର ଉପଯୋଗୀ, ଆବଶ୍ୟକ ସୁବିଧା ବ୍ୟବସ୍ଥା କରିବା,ଆଲୋକ ବ୍ୟବସ୍ଥା, ସ୍ୱଚ୍ଛତା ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଘାଟ ସମତୁଲ ବ୍ୟବସ୍ଥା, କଳାକାର ଓ ଷ୍ଟଲ ପାଇଁ ଆସିଥିବା ବ୍ୟକ୍ତିମାନଙ୍କ ରହଣୀ ବ୍ୟବସ୍ଥା, ସୂଚନା ପ୍ରଦାନ,ପ୍ରଚାର ପ୍ରସାର ବ୍ୟବସ୍ଥା,ଆଇନ ଶୃଙ୍ଖଳା, ଟ୍ରାଫିକ ଇତ୍ୟାଦି ସମ୍ପର୍କରେ ବିଶଦ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀଙ୍କୁ ସମସ୍ତ ବ୍ୟବସ୍ଥାକୁ ଚୁଡାନ୍ତ କରିବାକୁ ପରାମର୍ଶ ଦିଆଯାଇଥିଲା ।

ସେହିପରି ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ଡିଆଇବିର ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ,କୋଣାର୍କ ବିଡ଼ିଓ ଛବିରାଣୀ ସାହୁ, କୋଣାର୍କ ଏନଏସି ର ପୌର ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା,ଓରମାସ ର ଡେପୁଟି ସିଇଓ ନିଗମ ଚରଣ ଦାସ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ମିଶନ ଶକ୍ତି ର ଡିପିସି ସ୍ୱାଗତିକା ପରିଡା ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *