କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଭକ୍ତି ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ

ବାରଣାସୀ / ଭୁବନେଶ୍ୱର, ୧୬/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଶା ସାହିତ୍ୟ ଏକାଡେମୀ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଓଡ଼ିଆ ଚେୟାର, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଏବଂ ବାରାଣସେୟ ଉତ୍କଳ ସମାଜର ମିଳିତ ଆନୁକୂଲ୍ୟରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଠାରେ ଆଜି ଭକ୍ତିସାହିତ୍ୟ ଉପରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ଚତୁର୍ବେଦୀ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, ଧର୍ମ ଓ ସାହିତ୍ୟ କ୍ଷେତ୍ରରେ ଭକ୍ତି ସାହିତ୍ୟ ଯେଉଁ ଗଣଚେତନା ସୃଷ୍ଟି କରିଥିଲା ତାହାର ପ୍ରଭାବ ଅତ୍ୟନ୍ତ ସୁଦୁରପ୍ରସାରୀ ରହିଥିଲା । ଜ୍ଞାନ, ପ୍ରେମ, ଭକ୍ତି, କରୁଣା ଓ ବୈରାଗ୍ୟ ରହିଥିଲା ଏହାର ଆଧାର। ବିନମ୍ରତା, ଅହଂଶୂନ୍ୟ ଜୀବନ ଓ ଆତ୍ମିକ ବିଭୁପ୍ରେମ ହିଁ ଭକ୍ତିସାହିତ୍ୟର ପ୍ରମୁଖ ବାର୍ତ୍ତା ରହିଥିଲା ବୋଲି ପ୍ରଫେସର ଅଜିତ କୁମାର ଚତୁର୍ବେଦୀ ମତପ୍ରକାଶ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା କହିଥିଲେ ଯେ, ସନ୍ଥ ସାହିତ୍ୟ ଓ ହିନ୍ଦୁ ସଂସ୍କାରରେ ଈଶ୍ୱରଙ୍କୁ ଲାଭ କରିବାର ଯେଉଁ ଚତୁର୍ବିଧ ମାର୍ଗର ନିର୍ଦ୍ଦେଶ ରହିଛି ତନ୍ମଧ୍ୟରୁ ଭକ୍ତିମାର୍ଗ ଅନ୍ୟତମ। କର୍ମ, ଜ୍ଞାନ ଓ ଯୋଗମାର୍ଗ ଅପେକ୍ଷା ଭକ୍ତିମାର୍ଗ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ବୋଲି ଡ଼. ହୋତା ମତପ୍ରକାଶ କରିଥିଲେ। ଏଥିସହିତ ଡ଼. ହୋତା ଭକ୍ତିସାହିତ୍ୟର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ।

ଆଜିର ଏହି ଆଲୋଚନଚକ୍ରରେ “ପଞ୍ଚସଖା ଓ ଶ୍ରୀ ଚୈତନ୍ୟ”, “ଭକ୍ତିଆନ୍ଦୋଳନ ଓ ଓଡ଼ିଆ ଭାଗବତ” ଉପରେ ସବିସ୍ତୃତ ଆଲୋଚନା କରାଯାଇଥିଲା।

ଆଜିର ଭକ୍ତି ସାହିତ୍ୟ ଆଲୋଚନା ଚକ୍ରରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଓଡ଼ିଆ ଚେୟାର ସମନ୍ଵୟକ ପ୍ରଫେସର ଗୋପବନ୍ଧୁ ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼କ୍ଟର ପ୍ରଫୁଲ୍ଲ କୁମାର ମିଶ୍ର, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରଫେସର ବଲରାଜ ପାଣ୍ଡେ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରବୀନ୍ଦ୍ର ନାଥ ମିଶ୍ର, ପ୍ରଫେସର ବାଉରୀ ବନ୍ଧୁ ସାହୁ, ଡ଼କ୍ଟର ବାବାଜୀ ଚରଣ ପଟ୍ଟନାୟକ, ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରଫେସର ଓମ୍ ପ୍ରକାଶ ସିଂହ, ଓଡ଼ିଶା ସାହିତ୍ୟ ଏକାଡେମୀର ସହ ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ପ୍ରମୁଖ ଯୋଗ ଦେଇଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *