ଭୁବନେଶ୍ୱର,୨୫/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ଯାଜପୁର ଜିଲା ବଡ଼ଚଣା ବ୍ଲ୍କ ଅନ୍ତର୍ଗତ ଗଜେନ୍ଦ୍ରପୁର ଗ୍ରାମର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଈଶ୍ୱର ଚନ୍ଦ୍ର ଜେନାଙ୍କର ସହଧର୍ମୀଣି ଶ୍ରୀମତୀ ଜିରା ଦେଈ ଗତ ୨୩ତାରିଖ ଦିବା ୯.୩୦ ମିନିଟ୍ ସମୟରେ ଭୁବନେଶ୍ୱରସ୍ଥ ସମ୍ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା ।

ତାଙ୍କର ସ୍ୱାମୀ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଈଶ୍ୱର ଚନ୍ଦ୍ର ଜେନା, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଡ଼ାକରାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ୧୯୪୨ ମସିହାରେ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହୋଇ ଦୀର୍ଘ ଦିନ ବ୍ରହ୍ମପୁର କାରାଗାରରେ ବନ୍ଦୀ ଜୀବନ ବିତାଇଥିଲେ । ତାଙ୍କର ବଡ଼ପୁତ୍ର ସ୍ୱର୍ଗତ କୁଳମଣୀ ଜେନା ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ନାତି ଇଞ୍ଜିନିୟର ପ୍ରବୀର କୁମାର ଜେନା, ଅଧୁନା ବୁର୍ଲା ଇଞ୍ଜିନିୟରିଙ୍ଗ କଲେଜରେ ବରିଷ୍ଠ ଅଧ୍ୟାପକ ଭାବରେ ଅବସ୍ଥାପିତ ଅଛନ୍ତି ଓ ନାତୁଣୀ ଜ୍ୱାଇଁ ଶ୍ରୀ ଉଦୟ କୁମାର ଶାନ୍ତି ଭୁବନେଶ୍ୱରରେ ଜଣେ ବିଶିଷ୍ଟ ସରକାରୀ ଠିକାଦାର ଓ ସମାଜସେବୀ ।
ତାଙ୍କର ସାନ ପୁଅ ଇଞ୍ଜିନିୟର ବିଚିତ୍ରା ନନ୍ଦ ଜେନା, ସୁପରିଟେଣ୍ଡେଂଟ (ଏସ.ଇ) ଜଳସେଚନ ବିଭାଗରୁ ଅବସର ଗ୍ରହଣ କରିଛନ୍ତି ଏବଂ ବଡ଼ନାତି ଇଞ୍ଜିନିୟର ଅଜିତ୍ କୁମାର ଜେନା, ମୁଖ୍ୟ ଯନ୍ତ୍ରୀ ପଦରୁ ମଧ୍ୟ ଅବସର ଗ୍ରହଣ କରିଛନ୍ତି । ଅନ୍ୟ ଏକ ଅଣନାତି ବର୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ଦକ୍ଷ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅଛନ୍ତି । ଅନ୍ୟ ନାତି, ଅଣନାତି, ନାତୁଣୀମାନେ ବିଭିନ୍ନ ସ୍ଥାନରେ ଡ଼ାକ୍ତର ଓ ଇଞ୍ଜିନିୟର ତଥା ବରିଷ୍ଠ ସରକାରୀ ପଦପଦବୀରେ କାର୍ଯ୍ୟରତ ଅଛନ୍ତି ।
ସ୍ୱର୍ଗତ ଜିରା ଦେଈ ଜଣେ ମିଷ୍ଠଭାଷୀ ମେଳାପି ଏବଂ ଧର୍ମପରାୟଣା ମହିଳା ଥିଲେ । ତାଙ୍କର ବିୟୋଗରେ, ପରିବାରବର୍ଗ, ସମଗ୍ର ଯାଜପୁର ଜିଲା ତଥା ନିଜ ଗ୍ରାମ – ଗଜେନ୍ଦ୍ରପୁର, କଳାଶୀ ଗୋପାଳପୁର ଏବଂ ବର୍ତମାନର ଭୁବନେଶ୍ୱର ଚିନ୍ତାମଣୀଶ୍ୱର ଅଂଚଳର ସମସ୍ତ ଅଧିବାସୀ ଦୁଃଖରେ ମି୍ରୟମାଣ ହୋଇପଡ଼ିଛନ୍ତି ଓ ସେଠାରେ ଶୋକର ଛାୟା ଖେଳିଯାଇଛି । ଯାଜପୁର ଜିଲାର ପୂର୍ବତନ ଜିଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଜେନା ଓ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ସ୍ୱର୍ଗତ ଜିରା ଦେଈଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
()
