କେନ୍ଦ୍ରାପଡ଼ା,୧୬/୧୧/୨୦୨୫(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇରୁ କେନ୍ଦ୍ରାପଡ଼ା ସହର ଅଭିମୁଖେ କେତେକ ସଂଖ୍ୟାଲଘୁ ସାମ୍ପ୍ରଦାୟର ଅସାମାଜିକ ବ୍ୟକ୍ତି ଏକ ଗାଡିରେ ବେଆଇନ ଭାବେ ଆଣୁଥିବା ଗୋରୁ ଗାଡିକୁ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଆୟବା ପଂଚାୟତର ଗଣ୍ଡାଖିଆ ନିକଟରେ କେତେକ ସ୍ଥାନୀୟ ଯୁବକ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାରୁ ଉତକ୍ଷିପ୍ତ ହୋଇ ଗୋଚାଲାଣ କାରୀମାନେ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଗାଡି ଅଟକାଇଥିବା ଯୁବକମାନଙ୍କୁ ନରଣପୁର ଗ୍ରାମ ପର୍ଯ୍ୟନ୍ତ ଗୋଡାଇ ଯାଇଥିଲେ ।
ଫଳରେ ଯୁବକମାନେ ଗୋଚାଲାଣ କାରୀଙ୍କ ହାତରେ ବନ୍ଧୁକ, ଭୁଜାଲି ଓ ଖଣ୍ଡା ଭଳି ମାରଣାସ୍ତ୍ର ଦେଖି ଭୟଭୀତ ହୋଇ ଲୁଚିଯାଇଥିଲେ । କିନ୍ତୁ ଗାଁ ମୁଣ୍ଡରେ ଥିବା କ୍ଳବଘରେ ଶୋଇ ପରିସ୍ରା କରିବାକୁ ଉଠିଥିବା ମାନସୀକ ଭିନ୍ନକ୍ଷମ ଯୁବକ ଅକ୍ଷୟ ମଣ୍ଡଳ(୪୨)କୁ ଗୋଚାଲାଣ କାରୀ ଗାଡି ଅଟକାଉଥିବା ଯୁବକ ଭାବି ତା’ ଉପରକୁ ବନ୍ଧୁକରୁ ଗୁଳି ଚଳାଇଥିଲେ । ଗୁଳିିିିଟି ତାର ବାମ ଗୋଡ଼ ଜଂଘରେ ବାଜିଥିଲା । ଫଳରେ ସେ ମରିଗଲି ବୋଲି ଚିତ୍କାର କରିଥିଲା । ଆକ୍ରମଣକାରୀମାନେ ଏକ ବୋଲେରୋ ଗାଡ଼ିରେ କେନ୍ଦ୍ରାପଡ଼ା ସହର ଅଭିମୁଖେ ପଳାଇ ଯାଇଥିଲେ ।
ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବର ପାଇ ସଦର ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଆହତ ଅକ୍ଷୟ ମଣ୍ଡଳଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ପରେ ଅକ୍ଷୟଙ୍କୁ ଅଧିକ ଚିକିତ୍ସା ପାଇଁ ଏକ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଘଟଣାରେ ସଦର ଥାନା ପୋଲିସ କେନ୍ଦ୍ରାପଡା ଟାଉନ ଥାନା ଅଧିନ ରଣପଡା ଗ୍ରାମର ସେକ ଖଲିଲଙ୍କ ପୁଅ ସେକ ଗୋରା(୩୨)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି । ଅନ୍ୟ ୧୦ଜଣ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି ।
