ଆଗକୁ ଆସୁଛି ଦଶହରା : ଖାଲ ଖମା ରେ ପରିପୂର୍ଣ୍ଣ ପୂର୍ତ୍ତ ବିଭାଗ ରାସ୍ତା, ଜଳୁନି ଷ୍ଟ୍ରିଟ୍ ଲାଇଟ୍

ନିଶ୍ଚିନ୍ତକୋଇଲି,୨୪ /୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର ପୂର୍ତ୍ତ ବିଭାଗ ଅଧିନସ୍ଥ କଟକ –  ଚାନ୍ଦବାଲି ରାସ୍ତାର କୁଳିଆ ଠାରୁ କଟିକଟା ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ରାସ୍ତାର ବହୁ ସ୍ଥାନରେ ଛୋଟ ବଡ ଖାଲଖମ ଦେଖିବାକୁ ମିଳୁଛି। ପ୍ରତିଦିନ ଉକ୍ତ ରାସ୍ତାରେ ପଥଚାରି ଠୁ ଆରମ୍ଭ କରି ହଜାର ହଜାର ବାଇକ, କାର, ବସ ଟ୍ରକ ଯାତାୟତ କରୁଥିବା ବେଳେ କେହି ସୁରକ୍ଷିତ ମନେ କରୁନାହାନ୍ତି।

ଏପରିକି ପ୍ରତିଦିନ ଛୋଟବଡ ଦୁର୍ଘଟଣା ହେଉଥିବାର ଦେଖିବାକୁ ମିଳୁଛି। ଅପରପକ୍ଷରେ ବିଜେଡି ସରକାର ସମୟରେ ହାଟ ବଜ଼ାର, ରାସ୍ତା କଡରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ର ମରାମତି ଅଭାବରୁ ତାହା ଜଳୁନ ଥିବା ଦେଖିବାକୁ ମିଳିଛି। କିଛିମାସ ତଳେ ସ୍ଥାନୀୟ ନେତାଙ୍କ ଅତି ଅନୁଗତ ବୋଲାଉଥିବା କର୍ମୀ ମାନେ ଲକ୍ଷ ଲକ୍ଷ ଟଙ୍କାର ଠିକାଦାରୀ ନାମରେ ନିମ୍ନ ମାନର କାମ କରି ଟଙ୍କା ଲୁଟିଥିବା ଅଭିଯୋଗ ହେଉଛି। ଫଳରେ କୁଳିଆ, କେନ୍ଦୁପାଟଣା, ବାହାବଳପୁର, ନିଶ୍ଚିନ୍ତକୋଇଲି, ସୁକରପଡା, କଟିକଟା ବଜ଼ାର ନିକଟରେ ପୂର୍ତ୍ତ ରାସ୍ତାର ଅଧିକାଂଶ ସ୍ଥାନରେ ଛୋଟବଡ ଖାଲ ଖମା ହୋଇଛି।

ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏବେ ବିକାଶର ଧାରା ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି। ପୂର୍ବ ସରକାର ସମୟରେ ପାର୍ବଣ ଋତୁ ଆସିବା ବେଳେ ଗାଁ ଗହଳି, ମୁଖ୍ୟ ରାସ୍ତା ଗୁଡ଼ିକ ମରାମତି କରାଯାଏ ଓ ରାସ୍ତା କଡ଼ରେ ଲାଗିଥୁବା ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଆଲୋକୀକରଣ କରାଯାଏ । କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲାଣି ସରକାରଙ୍କ ପଇସାରେ ବିଭିନ୍ନ ବଜାର, ଗ୍ରାମାଞ୍ଚଳ, ଶିକ୍ଷାନୁଷ୍ଠାନ ମାନଙ୍କରେ ଯେଉଁ ଲାଇଟ୍ ଲାଗିଥିଲା ତାହା ଅଧିକାଂଶ ଜଳୁନାହିଁ । ପଞ୍ଚାୟତରେ ଅର୍ଥ ଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇପାରୁ ନାହିଁ । ଏଥି ପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *