ଦନ୍ତା ହାତୀ ଆକ୍ରମଣରେ ଯୁବକ ଗୁରୁତର 

ଭୁବନ,୧୭/୦୨/୨୦୨୬ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଦେଖିବାକୁ ମିଳୁଛି। ସପ୍ତାହେ ପୂର୍ବରୁ ଦନ୍ତା ହାତୀଟି ଭୁବନ ଏନ୍ ଏ ସି ଅଞ୍ଚଳରେ ବୁଲୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ହାତୀକୁ ଘଉଡାଇ ଭରତି ପାହାଡ଼ରେ ଛାଡ଼ି ଦେଇଥିଲେ । ମଙ୍ଗଳବାର ଭୋର ୫ ଘଟିକା ସମୟରେ ଗଡନୃସିଂହପ୍ରସାଦ ଗ୍ରାମ ନିକଟରେ ଏକ ଦନ୍ତାହାତୀ ଥିବା ଖବର ପାଇ ଭୁବନ ବନାଞ୍ଚଳ ଅଧିକାରୀ ରାକେଶ ଦଳେଇ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ହାତୀ ନିକଟକୁ ଯିବାକୁ ବାରଣ କରିଥିଲେ ।

ଜି ଏନ୍ ପ୍ରସାଦ ଗ୍ରାମର କାଳିଆ ବେହେରା ନାମକ ଜନୈକ ଯୁବକ ବନବିଭାଗ କର୍ମଚାରୀଙ୍କ କଥାକୁ ଅବଜ୍ଞା କରି ହାତୀକୁ ନିକଟରୁ ଦେଖିବା ପାଇଁ ହାତୀ ନିକଟକୁ ଚାଲିଯାଇଥିଲା । ହଠାତ ହାତୀଟି ଆକ୍ରମଣ କରି କାଳିଆ ବେହେରା କୁ ଶୁଣ୍ଢରେ ଟେକି ତଳେ କଚାଡି ଦେବା ସହ ପେଟରେ ଗୋଡ ପକେଇ ଚାପି ଦେଇଥିଲା । ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହାତୀ ଗୁରୁତର କାଳିଆକୁ ଛାଡି ପଳାଇଥିଲା । ଅନ୍ତ ବୁଜୁଳା ବାହାରି ଯାଇଥିବା କାଳିଆ ବେହେରା ଙ୍କୁ ପ୍ରଥମେ ଭୁବନ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

 ଏହା ପୂର୍ବରୁ ଡେଙ୍ଗାବାହାଳୀ ଗ୍ରାମର ଧନେଶ୍ବର କାଣ୍ଡି ଶୌଚ ହେବାକୁ ଯାଉଥିବା ସମୟରେ ଦନ୍ତା ହାବୁଡରେ ପଡିଥିଲେ । ଦନ୍ତାଟି ଧନେଶ୍ବରଙ୍କୁ ଶୁଣ୍ଢରେ ଟାଣି ଆଣିବା ସମୟରେ ବିଲ ହୁଡା ଯୋଗୁଁ ତାଙ୍କର ଜୀବନ ବଞ୍ଚିଯାଇଥିଲା । ଧନେଶ୍ବରଙ୍କୁ ମଧ୍ୟ ବନ ବିଭାଗ କର୍ମଚାରୀ ଭୁବନ ମେଡିକାଲକୁ ପଠାଇ ହାତୀଟିକୁ ଘଉଡାଇ ଦେଇଥିଲେ। ଧନେଶ୍ୱର ଭୁବନ ରେ ଚିକିତ୍ସା ହେଉଥିବା ବେଳେ କାଳିଆ କୁ କଟକ ସ୍ଥାନାନ୍ତର କରାଯାଇଛି। ଦ୍ରୁତ ଜଙ୍ଗଲ କ୍ଷୟ ହେଉଥିବା ଯୋଗୁଁ ବନ୍ୟ ପ୍ରାଣୀ ମାନେ ସହର ମୁହଁ ହୋଇ ଧନ ଜୀବନ ନଷ୍ଟ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *