ଚାଷୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା
ପାଟକୁରା ୧୩/୧୧/୨୦୨୫ (ଓଡିଶା ସମାଚାର)-ଆଜି ଗରଦପୁର ବ୍ଲକରେ ରାଜ୍ୟ ସରକାରଙ୍କ ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକର କଳାବୁଦା ମହାଲକ୍ଷ୍ମୀ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ ଏହି ମେଳାରେ ଗରଦପୁର ବ୍ଳକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଦ୍ୱାରା କୃଷକ ମାନଙ୍କୁ ମାଛ ଚାଷ,ଗୋପାଳନ , ମଇଁଷି ପାଳନ, ଘୁଷୁରୀ ପାଳନ, କୁକୁଡ଼ା, ବତକ ପାଳନ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ର ସୁବିଧା ନେବାକୁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଡାକ୍ତର ନିର୍ମାଲ୍ୟ ପତିଙ୍କ ସଂଯୋଜନାରେ ଏହି ମେଳାରେ ଜିଲ୍ଲା ମୁଖ୍ୟ ପ୍ରାଣୀଧାନ ଚିକିତ୍ସକ ଡାକ୍ତର ମନୋଜ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ମଂଚାସୀନ ରହି କହିଥିଲେ ଯେ କୃଷକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ, ମୁଖ୍ୟ ମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଦିଗଦର୍ଶନ ପାଇଁ ମତ୍ସ୍ୟ ଓ ପ୍ରାଣୀଧାନ ବିଭାଗ ବିଶେଷ ସଫଳତା ପାଉଛି ।

ଏଣୁ କୃଷକମାନେ ପ୍ରାଣୀଧନରେ ମନ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାଣୀଧନ ବିଭାଗ ତରଫରୁ ସମସ୍ତ ପ୍ରକାର ବୈଷୟିକ ପରାମର୍ଶ ଯୋଗାଇଦିଆଯିବ ବୋଲି ଡାକ୍ତର ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ । ଗୋପାଳନ, ମଇଁଷି ପାଳନ, ଧଳା ଘୁଷୁରୀ ପାଳନ, କୁକୁଡ଼ା, ବତକ ପାଳନ, ମାଛ ଚାଷ ଏକ ଲାଭ ଜନକ ବ୍ୟବସାୟରେ ପରିଣତ ହେଲାଣି । ଏସବୁ ଚାଷରେ ସରକାର କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ଅଧିକ ସବସିଡି ଦେଉଛନ୍ତି । ଫଳରେ କୃଷକ ମାନେ ବହୁତ ଆଗକୁ ଯାଇପାରିବେ । ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବ । ସେମାନଙ୍କ ସଫଳତା ଦେଖି ଅନ୍ୟ ଶିକ୍ଷିତ ଯୁବକ ମାନେ ଚାକିର ପଛରେ ନ ଗୋଡ଼ାଇ ଏସବୁ ଚାଷ ଉପରେ ଅଧିକ ଆକର୍ଷିତ ହେବେ ବୋଲି ଡାକ୍ତର ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଳକ ପ୍ରାଣୀଧନ ଚିକିତ୍ସକ ଡାକ୍ତର ଜ୍ୟୋତି ଦୀପ୍ତିମହାନ୍ତି, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ନାୟକ, ବିଧାୟକ ଙ୍କ ପ୍ରତିନିଧି ଶୈଳେନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ଡଲି ଶତପଥୀ, ମତ୍ସ୍ୟ ସମ୍ପ୍ରସାରଣ ଅଧିକାରିଣୀ ୟୋତିର୍ମୟୀ ମହାନ୍ତି, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ ଡାକ୍ତର ବିକାଶ ଚରଣ ବେହେରା,ପ୍ରାଣୀଧନ ଚିକିତ୍ସକ ଡାକ୍ତର ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଅଗ୍ରଣୀ କୃଷକ ମାନଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ । ମେଳାରେ କୃଷକ ମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ ଓ ଉପସ୍ଥିତ ଥିବା ପ୍ରାଣୀଧନ ବୈଜ୍ଞାନିକମାନେ ସେସବୁ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଥିଲେ ।
ବୈଜ୍ଞାନିକ ପ୍ରଣାଳୀରେ ଗୋସମ୍ପଦ ଓ ମତ୍ସ୍ୟ ଚାଷ କରିବାକୁ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ସଫଳ ମାଛ ଚାଷ, ଗୋପାଳନ ଉପରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିବା କୁକୁଡ଼ା ଚାଷୀ ରାଇସର ର ଶୁଭସ୍ମିତା ମହାନ୍ତି ଙ୍କୁ ମେଳାରେ ପୁରସ୍କୃତ କରାଯାଇଥିଲା । ଏତତ ବ୍ୟତୀତ ଅନେକ ଚାଷୀମଧ୍ୟ ପୁରସ୍କୃତ ହୋଇଥିଲେ । ଗରଦପୁର ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ରୁ ଅଗ୍ରଣୀ କୃଷକ ମାନେ ଆଜିର ମେଳାରେ ସାମିଲ ହୋଇଥିଲେ ।
