ଯାଜପୁର,୦୭/୧୧/୨୦୨୫ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ବନ୍ଦେ ମାତରମ୍ ସଙ୍ଗୀତ ରଚନାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାଜପୁର ଜିଲ୍ଲା ସ୍ତରୀୟ ଉତ୍ସବ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଆୟୋଜନ କରିଥିଲେ।
କଲେକ୍ଟୋରେଟ୍ କ୍ୟାମ୍ପସ ଓ ନିକଟସ୍ଥ କାର୍ଯ୍ୟାଳୟଗୁଡ଼ିକରେ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଥମେ ସକାଳ ୯:୩୫ ମିନିଟରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ସିଧା ପ୍ରସାରଣ କରାଯାଇଥିଲା। ଏହା ପରେ ଠିକ୍ ୯:୫୦ ମିନିଟ୍ରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ୍”ର ଗଣ-ଆବୃତ୍ତି କରାଯାଇଥିଲା। ଏହି ସାମୂହିକ ଗାନ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଜାତୀୟ ଗର୍ବର ଭାବନା ସୃଷ୍ଟି କରିଥିଲା।
ଏହି ସମାନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍, ତହସିଲ, ସମସ୍ତ କ୍ଷେତ୍ର କାର୍ଯ୍ୟାଳୟ ତଥା ସ୍କୁଲ୍ ଓ କଲେଜଗୁଡ଼ିକରେ ମଧ୍ୟ ପାଳିତ ହୋଇଥିଲା।
ବଙ୍କିମ ଚନ୍ଦ୍ର ଙ୍କ ଓଡ଼ିଶା, ବିଶେଷ କରି ଯାଜପୁର ସହିତ ଘନିଷ୍ଠ ସମ୍ପର୍କ ରହିଛି। ସେ ୧୮୮୨ ରୁ ୧୮୮୪ ମସିହା ପର୍ଯ୍ୟନ୍ତ ଯାଜପୁରର ଡେପୁଟି ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ବୈତରଣୀ ନଦୀ କୂଳରେ ରହି ଏକ ବାସ୍ତବ ଜୀବନ ଘଟଣା ଉପରେ ଆଧାରିତ ଉପନ୍ୟାସ “ଦେବୀ ଚୌଧୁରାଣୀ” ରଚନା କରିଥିଲେ।
ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଉପ-ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।
