ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ବିସ୍ମତ ଖାଦ୍ୟ ମେଳା

ଯାଜପୁର,୦୭/୧୧/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇ ଯାଇଛି।ଓଡ଼ିଶାରେ ପୁଷ୍ଟିଶସ୍ୟର ମହତ୍ତ୍ଵ ପାଇଁ ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବରେ ପାଳନ କରାଯାଉଅଛି। ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ମାଣ୍ଡିଆ ଦିବସ ଉପଲକ୍ଷେ ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମତ ଖାଦ୍ୟ ସମ୍ମିଳନୀ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ଉପଲକ୍ଷେ ଜିଲ୍ଲାସ୍ତରରେ “ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ମେଳା “ର ଆୟୋଜନ କରାଯାଉଅଛି।

        ପ୍ରାଚୀନ ପୁଷ୍ଟିଶସ୍ୟଗୁଡ଼ିକ କେବଳ ପୁଷ୍ଟିକର ନୁହନ୍ତି ବରଂ ଏହା ଚିରନ୍ତନ କୃଷି ପଦ୍ଧତି ପାଇଁ ସହାୟକ ହୋଇଥାନ୍ତି।ପାରମ୍ପରିକ ଫସଲ ଯେଉଁ ଗୁଡ଼ିକ ସ୍ଥାନୀୟ ପରିବେଶରେ ପ୍ରାକୃତିକ ଭାବେ ବଢ଼ୁଥିଲେ ,ସେଗୁଡିକ ଯତ୍ନ ଓ ସଚେତନତା ଅଭାବରୁ ଧିରେ ଧିରେ ଲୋପ ପାଇବାକୁ ଲାଗିଲେଣି। ବିଭିନ୍ନ କାରଣ ଯୋଗୁଁ ଆଜି ଆମ ଖାଦ୍ୟାଭ୍ୟାସରେ ବିବିଧତା ଲୋପ ପାଇଯାଉଛି। ତେଣୁ ଶ୍ରୀ ଅନ୍ନ ଯୋଜନା ଆନୁକୁଲ୍ୟରେ ଜଳବାୟୁ ସହଣୀ ଫସଲ ତଥା ମିଲେଟ ଗୁଡ଼ିକର ଚାଷ ବୃଦ୍ଧି ପାଇଁ ପ୍ରଚେଷ୍ଟା କରାଯାଉଅଛି।

        ୨୦୨୩ ମସିହାରେ ଓଡ଼ିଶା ମିଲେଟ ମିଶନରେ ଅଧୀନରେ ଯାଜପୁର ଜିଲ୍ଲାରେ ପ୍ରଥମ ଥର ମିଲେଟ ଚାଷ ପାଇଁ ସୁକିନ୍ଦା ଓ ଦାନଗଦି ବ୍ଲକରେ ମୋଟ ୩୪୪ ହେକ୍ଟର ଜମିରେ ୭୦୦ ହିତାଧିକାରୀଙ୍କୁ ନେଇ ଚାଷ କରାଯାଇଥିଲା ଏବଂ ୧୩୯ କ୍ଵିଣ୍ଟାଲ ମିଲେଟ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯାଇଥିଲା। ସେହିପରି ଚଳିତ ବର୍ଷ ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଏହି ଦୁଇ ବ୍ଲକରେ ୧୬୬୩ ହିତାଧିକାରୀଙ୍କୁ ନେଇ ୬୦୦ ହେକ୍ଟର ଜମିରେ ମାଣ୍ଡିଆ, ଯଅ ଫସଲର କ୍ଷେତ୍ର ପ୍ରଦର୍ଶନ ହୋଇଅଛି ଏବଂ ୬୦୦ କ୍ଵିଣ୍ଟାଲ ମିଲେଟ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଅଛି। ଏହି ଯୋଜନା ଆନୁକୁଲ୍ୟରେ କ୍ଷେତ୍ର ପ୍ରଦର୍ଶନୀ ଅନ୍ତର୍ଗତ ମିଲେଟ ଚାଷୀଙ୍କୁ ହେକ୍ଟରକୁ ପ୍ରଥମ ବର୍ଷରେ ୧୦ ହଜାର ଟଙ୍କା, ଦ୍ଵିତୀୟ ବର୍ଷରେ ୭୫୦୦ ଟଙ୍କା, ତୃତୀୟ ବର୍ଷରେ ୫ ହଜାର ଟଙ୍କା ଏବଂ ଚତୁର୍ଥ ଓ ପଞ୍ଚମ ବର୍ଷରେ ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।ସେହିପରି ଏହି ଯୋଜନାରେ ଫସଲ ବିବିଧିକରଣ, ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଥ୍ରେସର, ଚୋପାଛଡା ଯନ୍ତ୍ର, କଷ୍ଟମ ହାଇୟାରିଂ ସେଣ୍ଟର୍, ଗୋଷ୍ଠୀ ପରିଚାଳିତ ବିହନ କେନ୍ଦ୍ର, ଜୈବ ସାମଗ୍ରୀ ପ୍ରସ୍ତୁତି ଏବଂ ମିଲେଟ ବିପଣନ ପାଇଁ M-PAS ପଦ୍ଧତି ଏବଂ ରପ୍ତାନି  ଇଦ୍ୟାଦି ବ୍ୟବସ୍ଥା ମଧ୍ୟ କରାଯାଉଛି।

       ବିଶ୍ୱସ୍ତରରେ ପୁଷ୍ଟିଶସ୍ୟ ଓ ଶ୍ରୀ ଅନ୍ନର ପୁନରୁଦ୍ଧାର କରାଯାଇ ଏହାକୁ ପ୍ରତ୍ୟେକ ଖାଦ୍ୟ ଥାଳିରେ ସାମିଲ କରିବା ଦ୍ୱାରା ଏହାର ପୁଷ୍ଟିପୋଷକତା ବୃଦ୍ଧି କରିବା  ଉଦ୍ଦେଶ୍ୟରେ ଜିଲ୍ଲାସ୍ତରରେ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ମେଳା ଆୟୋଜିତ ହୋଇଅଛି।ଏହି ମେଳାରେ ମୁଖ୍ୟ ଅତିଥିଭାବେ ଶ୍ରୀମତୀ ନଳିନୀପ୍ରଭା ଜେନା,ସଭାପତି ଜିଲ୍ଲା ପରିଷଦ, ସମ୍ମାନିତ ଅତିଥିଭାବେ ଅଧ୍ୟକ୍ଷା, ପୌରପାଳିକା, ଯାଜପୁର ଭାବେ ଯୋଗଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ସୁଚାରୁରୂପେ ପାଳିତ ହୋଇଥିଲା ଏବଂ ମାଣ୍ଡିଆ ତଥା ଶ୍ରୀ ଅନ୍ନ ଫସଲର ଖାଦ୍ୟର ଗୁଣବତ୍ତା ଏବଂ ବର୍ତ୍ତମାନ ଯୁଗରେ ଏହାର ଚାଷ ଏବଂ ମାଣ୍ଡିଆ ଜାତୀୟ ଖାଦ୍ୟ ର ବହୁଳ ପ୍ରସାର ନିମନ୍ତେ ସଭାପତି ସମସ୍ତଙ୍କୁ ଦିଗଦର୍ଶନ ଦେଇଥିଲେ ।

ଯୁଗ୍ମ ଉଦ୍ୟାନକୃଷି ନିର୍ଦ୍ଦେଶକ ତଥା ଜିଲ୍ଲା ନୋଡାଲ ଅଧିକାରୀ ଡ଼ା ପ୍ରଫୁଲ୍ଲ କୁମାର ଭଞ୍ଜ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ମାଣ୍ଡିଆ ଚାଷ ତଥା ଅନ୍ୟାନ୍ୟ ଶ୍ରୀ ଅନ୍ନର ଚାଷ ତଥା ଖାଦ୍ୟର ଉପଯୋଗୀତା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇ ଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କ୍ଷେତ୍ର ବୈଜ୍ଞାନିକ ଶ୍ରୀ ଲଳିତ କୁମାର ମହାନ୍ତି,ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ଶ୍ରୀଯୁକ୍ତ ରମାକାନ୍ତ ପରିଡ଼ା, କୃଷି ଜିଲ୍ଲା ଅଧିକାରୀ,ଧର୍ମଶାଳା ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାନ୍ତି, କୃଷି ଜିଲ୍ଲା ଅଧିକାରୀ, ଯାଜପୁର ରୋଡ ଶ୍ରୀଯୁକ୍ତ ଭବାନୀ ଶଙ୍କର ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ମହାପାତ୍ର କାର୍ଯକ୍ରମ ପରିଚାଳନା କରିଥିଲେ।ମିଶନଶକ୍ତି ଭବନ ଠାରେ ଆୟୋଜିତ ଏହି ମେଳାରେ ବିଭିନ୍ନ ବ୍ଲକରୁ ଆସିଥିବା ଶ୍ରେଷ୍ଠ ମାଣ୍ଡିଆ ଚାଷୀ, ମାଣ୍ଡିଆ ଚାଷ ସହିତ ସମ୍ପୃକ୍ତ ଥିବା ଶ୍ରେଷ୍ଠ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ,ଶ୍ରେଷ୍ଠ କୃଷକ ଉତ୍ପାଦକ ଗୋଷ୍ଠୀ ଏବଂ ଶ୍ରେଷ୍ଠ ସହଯୋଗୀ ସଂସ୍ଥାଙ୍କୁ  ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ୬୦ ଜଣ ଚାଷୀ, ମିଶନ ଶକ୍ତି ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ, ମିଲେଟ୍ ଚାଷୀ, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ କୃଷି ତଥା ଆନୁସାଙ୍ଗିକ ବିଭାଗର ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଖାଦ୍ୟ ପ୍ରଦର୍ଶନୀ ମଣ୍ଡପ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *