ଭୁବନେଶ୍ୱର,୨୨/୦୨/୨୦୨୬ (ଓଡ଼ିଶା ସମାଚାର)- ବେଙ୍ଗାପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମି ୪୮ ଘଂଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ । ଏବେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଆଗାମୀ କାଲି ୨୩ ତାରିଖ ସୋମବାର ବେଳକୁ ପାଗ ମୁଖ୍ୟତଃ ମେଘୁଆ ରହିବା ସହ କାଁ ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହ ବିଜୁଳି, ଘଡ଼ଘଡ଼ି ଓ ପବନ ବହିବା ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ସୋମବାର ଖୋର୍ଦ୍ଧା, କଟକ, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, କଳାହାଣ୍ଡି,ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି । ଏଥିସହ ଏହିସବୁ ସ୍ଥାନରେ ବର୍ଷା ସମୟରେ ୩୦ରୁ ୪୦ କି.ମି. ପର୍ଯ୍ୟନ୍ତ ପବନ ବହିବା ନେଇ ସତର୍କ କରାଯାଇଛି । ମଙ୍ଗଳବାର ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧା ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି । ଏଥିସହ ୩୦ରୁ ୪୦ କି.ମି. ବେଗରେ ପବନ ବହିବ । ୨୫ ତାରିଖରୁ ପୁଣି ଥରେ ପାଗ ଶୁଖିଲା ରହିବା ସହ ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
