କେନ୍ଦ୍ରାପଡ଼ା, ୧୭/୦୧/୨୦୨୪ (ଓଡ଼ିଶା ସମାଚାର)-ଶ୍ରୀ ଜଗନ୍ନାଥ ଓଡିଆ ଅସ୍ମିତାର ପୁଣ୍ୟ ପ୍ରତୀକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଜିଲା ସଂସ୍କୃତି ଭବନରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କେନ୍ଦ୍ରାପଡା ଜିଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା “କାଂଚି କାବେରୀ” ଗୀତିନାଟ୍ୟ ଜିଲା ସଂସ୍କୃତି ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଗୋପାଳ ଦାଶଙ୍କ ଦ୍ୱାରା ରଚିତ ଏହି ଗୀତିନାଟ୍ୟକୁ ଗୋପାଳ ଦାସ ସ୍ମାରକୀ କଳା ମନ୍ଦିର(ଗଡମେକର)ର କଳାକାରମାନେ ପରିବେଷଣ କରିଥିଲେ । ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଗଜପତି ପୁରୁଷୋତମ ଦେବଙ୍କ କାଂଚି ବିଜୟ ଘଟଣା ଓ କାଂଚି ରାଜଜେମା ପଦ୍ମାବତୀଙ୍କ ସହ ଗଜପତିଙ୍କ ଶୁଭ ପରିଣୟ ହେଉଛି କାଂଚିକାବେରୀ ଗୀତିନାଟ୍ୟର ବିଷୟ ବସ୍ତୁ । ଗୀତିନାଟ୍ୟର ରୂପାନ୍ତର ଓ ନିର୍ଦେଶନା ଗୁରୁଶ୍ରୀ ନଗେନ ପରିଜା ଦେଇଥିବା ବେଳେ ଗଡମେକର ନିର୍ଦେଶକ ସୁଶାନ୍ତ କୁମାର ପାଣି ପରିଚାଳନା କରିଥିଲେ । ସଙ୍ଗୀତାଭିନୟରେ ସୁଶାନ୍ତ କୁମାର ପାଣି, ଈପ୍ସାରାଣୀ ବେହେରା, ଗଙ୍ଗାଧର ପଣ୍ଡା, ଚିନ୍ମୟ ଦାସ, ସ୍ମୃତିପ୍ରିୟା ପ୍ରଧାନ, ଜଗବନ୍ଧୁ ନାୟକ, ଜୟଶ୍ରୀ ଧଳ, ପ୍ରସନ୍ନ ମିଶ୍ର, ସୁଶିଲ ସେନ, ରୀତା ସେଠୀ, ପ୍ରଫୁଲ୍ଲ ନାୟକ ଓ ପ୍ରିୟଙ୍କା ବେହେରା ପ୍ରମୁଖ ଥିବା ବେଳେ ବାଦ୍ୟ ବର୍ଣ୍ଣାଳୀରେ ରବୀନ୍ଦ୍ର ମଲ୍ଲିକ, ଚୈତନ୍ୟ ଜେନା, ଅଜୟ ଜେନା, ଅକ୍ଷୟ ମଲ୍ଲିକ ଓ କୈଳାସ ସେଠୀ ପ୍ରଭୃତି ସହଯୋଗ କରିଥିଲେ । କଳାକାରମାନଙ୍କ ଅଭିନୟ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲା । ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ନଡିଆ ବାଡେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।