ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ 

ଜଗତସିଂହପୁର, ୨୮/୦୫/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର , ଶ୍ରୀ ଜ୍ୟୋତି ଶଙ୍କର ରାୟ ଦୁର୍ଘଟଣା ର କାରଣ ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରି ତାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ କହିଥିଲେ ଏବଂ ନିୟମ ଉଲ୍ଲଂଘନକାରୀଙ୍କ  ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସଚେତନତା ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦେଇଥିଲେ ।

ସେ ମଧ୍ୟ କହିଥିଲେ ଯେ ଦୁର୍ଘଟଣା ରେ କ୍ଷତିଗ୍ରସ୍ତ ଲୋକଙ୍କୁ ଯେମିତି ସଠିକ୍ ସମୟରେ ସାହାଯ୍ୟ ଓ ସହାୟତା ପ୍ରଦାନ କରାଯିବ ସେ ପ୍ରତି ଦୃଷ୍ଟି ଦିଆଯାଉ। ଏହି ବୈଠକ ରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା କହିଲେ ଯେ ଇଫକୋ ଛକ ପାଖରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଯାହା ଫଳରେ ଦୁର୍ଘଟଣା ର ମାତ୍ରା କମିବ। ସେ ଟ୍ରକ୍ ମାଲିକ ସଂଘ ଙ୍କୁ ପାରାଦୀପ ରେ ଏଣେତେଣେ ଗାଡ଼ି ପାର୍କିଂ ନ କରିବା ପାଇଁ କହିଥିଲେ ଏବଂ ଶୀଘ୍ର ପାର୍କିଂ ପାଇଁ ସ୍ଥାନ ନିରୂପଣ କରାଯିବ ବୋଲି ମଧ୍ୟ ସେ କହିଥିଲେ । ଏହି ବୈଠକ ରେ ଉପସ୍ଥିତ ରହି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର, ଶ୍ରୀ ସତ୍ୟବ୍ରତ ଦାଶ କହିଲେ ଯେ ଅଧିକ ଦୁର୍ଘଟଣା ଗ୍ରସ୍ତ ଥାନା ପରିସର ଗୁଡ଼ିକ ଉପରେ ଧ୍ୟାନ ଦିଆଯିବ ଏବଂ ନିରାକରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ବୈଠକରେ  ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।ରାସ୍ତା ରେ  ଲୁହା ପଥର ବୋଝାଇ ଟ୍ରକ ଲାଇନ୍ ହୋଇ ରହିବା ପ୍ରମୁଖ ଦୁର୍ଘଟଣା ର କାରଣ ପାଲଟି ଥିବାରୁ ଏଥିପ୍ରତି ସଜାଗ ରହିବା ପାଇଁ କୁହାଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସାଇନବୋର୍ଡ ଲଗାଇବା ର ସ୍ଥାନ ଚୟନ କରି  ନିର୍ବାହୀ ଅଧିକାରୀ, ପୌର ପରିଷଦ, ଜଗତସିଂହପୁର ଙ୍କୁ ଅବଗତ କରାଇବା ପାଇଁ କୁହାଯାଇଥିଲା । ବୁଲାପ୍ରାଣୀ ସମସ୍ୟା ଆଦି ବିଷୟ ରେ ଆଲୋଚନା କରାଯାଇଥିଲା ଏବଂ ନିର୍ବାହୀ ଅଧିକାରୀ ପୌର ପରିଷଦ, ଜଗତସିଂହପୁର ଓ ପାରାଦୀପ ଙ୍କୁ ଗୋଶାଳା ର ବ୍ୟବସ୍ଥା ପାଇଁ ପରାମର୍ଶ ଦିଆଯାଇଥିଲା ।

ଆହୁରି ମଧ୍ୟ ଆଇ ଆର ଏ ଡି ବା ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ, ଇଲେକ୍ଟ୍ରୋନିକ ଡିଟେଲ ଆକ୍ସିଡେଣ୍ଟ ରିପୋର୍ଟ ର କାର୍ଯ୍ୟକାରିତା  ବିଷୟ ରେ ଆଲୋଚନା କରା ଯାଇଥିଲା। ଗାଡ଼ି ଚାଳକ ମାନଙ୍କୁ ସତର୍କ କରାଇବା ପାଇଁ ବସ୍ ଓ ଟ୍ରକ୍ ମାଲିକ ସଂଘ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବସ୍ ଓ ଟ୍ରକ୍ ମାଲିକ ସଂଘ ପ୍ରଶାସନ କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ। ଅଠରବାଙ୍କୀ ରୁ ପାରାଦୀପ ରାସ୍ତା ମରାମତି ପାଇଁ ଏନ ଏଚ ଏ ଆଇ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏହି ବୈଠକ ରେ କମିଟି ର ସଦସ୍ୟ, ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *