କଟକ ସଦର, ୧୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମଧ୍ୟପ୍ରାଚ୍ୟ ଯୁଦ୍ଧର ପରିଣାମ ସ୍ୱରୂପ ଏବେ ସାରା ଦେଶ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଇ ଗତି କରୁଛି । କିଛି ଦିନ ତଳେ ପେଟ୍ରୋଲ ଡିଜେଲ ବ୍ୟବହାର କମ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଆହ୍ୱାନ ଦେଇଥିଲେ । ଏହାରି ଭିତରେ ଲୋକଙ୍କ ମନରେ ତେଲ ସଙ୍କଟକୁ ନେଇ ଭୟ ସୃଷ୍ଟି ହୋଇଛି ।
ଯେଉଁଥିପାଇଁ ଅନେକ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେବେ ରାଜ୍ୟରେ ଯଥେଷ୍ଟ ପରିମାଣର ତେଲ ମହଯୁଦ ଅଛି ବୋଲି ସରକାର କହୁଛନ୍ତି । ହେଲେ ଆଜି ଶୁକ୍ରବାର ସକାଳୁ ତେଲ ସଂକଟ ଅଣାୟତ୍ତ ହୋଇପଡିଛି।
ସହର ଠାରୁ ଗ୍ରାମାଞ୍ଚଳ ରେ ଥିବା ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ ସହିତ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଯେଉଁଥିପାଇଁ ଗାଡ଼ି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସେଥିରେ ଗତକାଲି ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକ ମାନେ ଅଧିକ ମୂନାଫା ପାଇଁ ଏଭଳି କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ପରିସ୍ଥିତି ଅଧିକ ଜଟିଳ ହେଵା ପୂର୍ବରୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
