କ୍ୟାପିଟାଲ ଗାର୍ଲ୍ସ ହାଇସ୍କୁଲ, ୟୁନିଟ୍-୨ ପରିଦର୍ଶନ କଲେ ରାଜ୍ୟପାଳ

ସ୍କୁଲ ଝିଅମାନଙ୍କ ମଧ୍ୟରେ ରକ୍ତହୀନତା ଦୂର ପାଇଁ ରାଜ୍ୟପାଳ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କଲେ

ଭୁବନେଶ୍ୱର, ୦୩/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚଳିତ ନଭେମ୍ବର ୩ ତାରିଖ ସୋମବାର ଦିନ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଭୁବଶ୍ୱେରର ୟୁନିଟ୍-୨ସ୍ଥିତ କ୍ୟାପିଟାଲ ଗାର୍ଲ୍ସ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସ୍କୁଲର ସୁସ୍ଥ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ସ୍କୁଲ ଝିଅମାନଙ୍କର ରକ୍ତହୀନତା ଦୂର କରିବା ପାଇଁ ଛାତ୍ରୀମାନଙ୍କୁ ବିଟ୍-ଗାଜର ଜୁସ ଏବଂ ବାଦାମ ଚିକ୍କି ବଂଟନ କରି ରାଜ୍ୟପାଳ ଏକ ସ୍ୱତନ୍ତ୍ର ଦୁଇମାସିଆ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପଦକ୍ଷେପ ଅଧିନରେ ସ୍କୁଲର ଛାତ୍ରୀମାନେ ଆଗାମୀ ଦୁଇମାସ ପାଇଁ ବିଟ୍-ଗାଜର ଜୁସ୍ ଓ ବାଦାମ ଚିକ୍କି ପାଇବେ ।

ଉକ୍ତ କାର୍ଯ୍ୟକ୍ରମ ସମୟରେ ରାଜ୍ୟପାଳ ଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରି କିଶୋରୀ ଝିଅମାନଙ୍କ ମଧ୍ୟରେ ରକ୍ତହୀନତାର ସମସ୍ୟା ଉପରେ ଚିନ୍ତା ପ୍ରକଟ କରିଥିଲେ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ସଂପର୍କରେ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟପାଳ କହିଥିଲେ ଯେ, ସରଳ ଖାଦ୍ୟ ଅଭ୍ୟାସ ଜଣଙ୍କର ସ୍ୱାସ୍ଥ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ । ଗାଜର-ବିଟ୍ ଜୁସ୍ ଏବଂ ଚିକ୍କି ଭଳି ଖାଦ୍ୟ ସାମଗ୍ରୀ ହିମୋଗ୍ଲୋବିନ ସ୍ତରକୁ ଉନ୍ନତ କରିବାରେ ସରଳ, ସୁଲଭ ଓ ପ୍ରଭାବଶାଳୀ ହୋଇପାରିବ । ଝିଅମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ରାଜ୍ୟପାଳ ଉତ୍ସାହିତ କରି କହିଥିଲେ ଯେ ଦୁଇମାସ ପରେ ଯଦି ତୁମେ ଜାଣିବ ଯେ ତୁମର ହିମୋଗ୍ଲୋବିନ ସ୍ତରରେ ଉନ୍ନତି ହୋଇଛି, ତେବେ ପିତାମାତା/ଅଭିଭାବକଙ୍କୁ କହି ଏପରି ସୁସ୍ଥ ଖାଦ୍ୟାଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ସ୍କୁଲମାନଙ୍କରେ ନିୟମିତ ଦୃଷ୍ଟିଶକ୍ତି ପରୀକ୍ଷାର ଆବଶ୍ୟକତା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରି କହିଥିଲେ ଯେ, ଅନେକ ପିଲା ସେମାନଙ୍କର ଦୃଷ୍ଟି ଶକ୍ତି ସମସ୍ୟା ବିଷୟରେ ଅଜ୍ଞ ରହିଥାନ୍ତି । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଶକ୍ତି ପରୀକ୍ଷା କରାଯିବା ଉଚିତ ଏବଂ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ପିତାମାତାଙ୍କୁ ଜଣାଇଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ । ଏଦିଗରେ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ରାଜ୍ୟପାଳ ବିହିତ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଅମ୍ଲାନ (AMLAN) କାର୍ଯ୍ୟକ୍ରମ ଏବଂ ସେମାନଙ୍କ ସ୍କୁଲରେ କରାଯାଇଥିବା ଚକ୍ଷୁ ପରୀକ୍ଷା ସଂପର୍କରେ ଅଭିଜ୍ଞତା ବାଂଟିବା ସହିତ ରାଜ୍ୟପାଳଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ । ସେମାନେ ସ୍କୁଲର ଭିତିଭୂମି, ସ୍ମାର୍ଟ ଶ୍ରେଣୀଗୃହ, ହଷ୍ଟେଲ ଏବଂ ଶିକ୍ଷାଗତ ସଫଳତା ପ୍ରଦର୍ଶନ ସଂପର୍କରେ ଉପସ୍ଥାପନା କରିଥିଲେ । ଭାବବିନିୟ ଅବସରରେ ପିଲାମାନେ ରାଜ୍ୟପାଳଙ୍କୁ ତାଙ୍କର ଆଦର୍ଶ, ପ୍ରିୟ ବିଷୟ ଏବଂ ସଫଳତା ହାସଲ ସଂପର୍କରେ ପ୍ରଶ୍ନ ପଚାରିଥିଲେ ଏବଂ ରାଜ୍ୟପାଳ ଉତ୍ତର ଦେଇଥିଲେ ।

ପିଲାମାନେ ବଡ ସ୍ୱପ୍ନ ଦେଖିବା, ଶୃଙ୍ଖଳିତ ହୋଇ ସେମାନଙ୍କର ଲକ୍ଷ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଉସôାହିତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ୧୯୫୮ ମସିହାରେ ପ୍ରତିଷ୍ଠିତ କ୍ୟାପିଟାଲ ଗାର୍ଲ୍ସ ହାଇସ୍କୁଲରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱ ପାଠ ପଢ଼ିଥିବାରୁ ଏହି ବିଦ୍ୟାଳୟର ଗୌରବମୟ ଐତିହ୍ୟ ରହିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡା. ଏନ୍. ତିରୁମାଲା ନାୟକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ବୀରେନ୍ଦ୍ର କୋରକରା, ଜିଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସବିତା କୁମାରୀ ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହା ଦ୍ୱିତୀୟ ସ୍କୁଲ ଯେଉଁଠାରେ ରାଜ୍ୟପାଳ ଏପରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପୂର୍ବରୁ ସେପ୍ଟେମ୍ବର ମାସରେ ମାଲକାନାଗିରି ଜିଲାର ମୁଦୁଲିପଡ଼ା ସରକାରୀ ଏସଏସ୍ଡି ହାଇସ୍କୁଲରେ ମଧ୍ୟ ଏହି ଅଭିଯାନ ଆରମ୍ଭ କରିଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *