ଭୁବନେଶ୍ୱର, ୧୫/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଜାତୀୟ ସେବା ଯୋଜନା ଅଧୀନରେ ‘ମା ନାମରେ ଗଛଟିଏ’ ଅଭିଯାନ ଅନ୍ତର୍ଗତ ସାରା ରାଜ୍ୟରେ ପାଞ୍ଚ ଲକ୍ଷ ଚାରାରୋପଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜୟଦେବ ଭବନରେ ଏକ ପରାମର୍ଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ ପରିବେଶବିତ, ବିଶେଷଜ୍ଞ, ବିଶ୍ୱବିଦ୍ୟାଳୟ ସଂଯୋଜକ, ବିଭିନ୍ନ ଜିଲ୍ଲାର ଏନ୍ଏସ୍ଏସ୍ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସମଗ୍ର ରାଜ୍ୟରୁ ବ୍ୟାପକ ଚାରାରୋପଣ ଲକ୍ଷ୍ୟ ରଖିଥିବା ପ୍ରାୟ ୨୦୦ ଜଣ ନିର୍ବାଚିତ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ବିଶେଷଜ୍ଞମାନେ ମାର୍ଗଦର୍ଶନ କରିଥିଲେ ।
ବିଶିଷ୍ଟ ସମାଜସେବୀ ତଥା ସିୱାଇଏସଡି ର ପ୍ରତିଷ୍ଠାତା ଶ୍ରୀ ଜଗଦାନନ୍ଦ, ଓଡ଼ିଶା ସତ୍ୟସାଇ ସଂଗଠନର ସଭାପତି ଡା. ସତ୍ୟସ୍ୱରୂପ ପଟ୍ଟନାୟକ, ରାଜ୍ୟ ଏନ୍ଏସ୍ଏସ୍ ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ, ‘ପ୍ରେରଣା’ର ପ୍ରତିଷ୍ଠାତା ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ବନ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ବିଶିଷ୍ଟ ପରିବେଶବିତ ଡ. ଜୟକୃଷ୍ଣ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ଯୋଗସୂତ୍ର ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ଆଚାର୍ଯ୍ୟ, କୃଷି ଅଧିକାରୀ ଶ୍ରୀ ଜୟନ୍ତ କୁମାର ଜେନା, ଜାତୀୟ ଯୁବ ପ୍ରକଳ୍ପ ରାଜ୍ୟ ସମ୍ପାଦକ ମଧୁସୂଦନ ଦାସ ପ୍ରମୁଖ ଏନ୍ଏସ୍ଏସ୍ କର୍ମକର୍ତ୍ତାମାନଙ୍କୁ ବୃକ୍ଷରୋପଣର ବିଭିନ୍ନ ଦିଗ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟ ଏନ୍ଏସ୍ଏସ୍ ଅଧିକାରୀ ତଥା ଉପଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ଶ୍ରୀ ରଘୁନାଥ ମଣ୍ଡଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଅପରାହ୍ନ ଅଧିବେଶନରେ ଉପଶାସନ ସଚିବ ଡ. ବେହେରା ବିଭିନ୍ନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ସଂଯୋଜକମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏନ୍ଏସ୍ଏସ୍ ପାଣ୍ଠିକୁ ସଂପୃକ୍ତ ମହାବିଦ୍ୟାଳୟଗୁଡ଼ିକୁ ଯଥାଶୀଘ୍ର ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ ।