ସଂସ୍କୃତି ଗବେଷକ ସୁଧୀର କୁମାର ସାହୁଙ୍କୁ ‘ସୁରେଶ ସୃଜନ ସମ୍ମାନ’
ଭୁବନେଶ୍ୱର, ୨୬/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶିଷ୍ଟ ଲେଖକ, ଗବେଷକ, ନାଟ୍ୟକର୍ମୀ ଓ ଲୋକସଂସ୍କୃତି ବିଶେଷଜ୍ଞ ସୁରେଶ ବଳବନ୍ତରାୟଙ୍କ ୭୧ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସଂସ୍କୃତି ଗବେଷକ ଡ. ସୁଧୀର କୁମାର ସାହୁଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଛି । ଆଜି ସନ୍ଧ୍ୟାରେ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ସାହିତି୍ୟକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ସ୍ୱର୍ଗତ ବଳବନ୍ତରାୟ ଓଡ଼ିଆ ସ୍ୱାଭିମାନ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସ୍ମରଣୀୟ ରହିବେ ବୋଲି ପ୍ରକାଶ କରିଛନ୍ତି ।
ଫାଉଣ୍ଡେସନ୍ର ଅଧ୍ୟକ୍ଷ ଡ. ହରେକୃଷ୍ଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଗବେଷକ ତଥା ଲେଖକ ଡ. ଚିତ୍ରସେନ ପଶାୟତ ସ୍ମାରକ ବକ୍ତୃତା ପ୍ରଦାନପୂର୍ବକ ‘ଊନବିଂଶ ଶତାବ୍ଦୀରେ ସମ୍ବଲପୁର ଆନ୍ଦୋଳନରେ ଆଦିବାସୀଙ୍କ ଯୋଗଦାନ: ଲଖନପୁର ଓ ଘେଁସ ଜମିଦାର ପରିବାର’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସାଦ ହରିଚନ୍ଦନ ମୌଖିକ ସାହିତ୍ୟରେ ଜାତି ବା ଜନଜୀବନର ଭାବ ସମ୍ପଦ ଭରି ରହିଛି ଏବଂ ଲୋକସଂସ୍କୃତିର ବିଶେଷ ବ୍ୟାଖ୍ୟା ଦରକାର ବୋଲି ଉଲ୍ଲେଖ କରିଥିଲେ ।
ପ୍ରାରମ୍ଭରେ ସ୍ୱର୍ଗତ ବଳବନ୍ତରାୟଙ୍କ ଫଟୋଚିତ୍ରରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ଫାଉଣ୍ଡେସନ୍ର ସଦସ୍ୟ ବିଶିଷ୍ଟ କବି ଶ୍ରୀ ରକ୍ଷକ ନାୟକ ସ୍ୱାଗତ ସୂଚନା ଓ ପରିଚୟ ପ୍ରଦାନ କରିଥିଲେ । ଫାଉଣ୍ଡେସନ୍ର ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ବିବରଣୀ ଉପସ୍ଥାପନ କରି ଅନୁଷ୍ଠାନର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ସୁରେଶ ବଳବନ୍ତରାୟଙ୍କ ସଂପାଦିତ ନବଘନ ପରିଡ଼ା ବିରଚିତ ‘ଭାରତ ଲୀଳା (ଦ୍ୱାରୀ ଲୀଳା)’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପୁସ୍ତକର ପ୍ରକାଶକ ଶ୍ରୀ ସୁଧୀର ମଉଡ଼ମଣି ଉପସ୍ଥିତ ଥିଲେ । ‘ସୁରେଶ ସୃଜନ ସମ୍ମାନ’ର ପ୍ରାପକ ଡ. ସାହୁ ସମ୍ବର୍ଦ୍ଧନାର ଉତ୍ତର ରଖିଥିବାବେଳେ ଅଧ୍ୟାପିକା ଡ. ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିଲେ । ଶେଷରେ ଫାଉଣ୍ଡେସନ୍ର ସଦସ୍ୟ ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଦସ୍ୟ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ନୃତ୍ୟଗୁରୁ ଡ. ପ୍ରତିଭା ପଣ୍ଡା, ପବିତ୍ର ପ୍ରଧାନ, ରୁନା ପଣ୍ଡା, ପ୍ରଫେସର ବିଜୟ ମହାନ୍ତି, ପି.ସି. ଧୀର, ବିଶିଷ୍ଟ ସ୍ତମ୍ଭକାର ଭାସ୍କର ପରିଚ୍ଛା, କଥାକାର ଅଜୟ ସ୍ୱାଇଁ, ସମାଲୋଚକ ଡ. ସନ୍ତୋଷ ତି୍ରପାଠୀ, ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ, କଥାକାର ଆଭାସ ବରାଳ, ସନ୍ଧ୍ୟାବତୀ ପ୍ରଧାନ, କଥାକାର ପରେଶ ପଟ୍ଟନାୟକ, ଚିତ୍ରଶିଳ୍ପୀ ରାମହରି ଜେନା, ବୀଣାପାଣି ଚୌଧୁରୀ, ସଂଗୀତକାର ସୀମନ୍ତ ମହାନ୍ତି ଓ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କ ସମେତ ବହୁ ଲେଖକ, ବୁଦ୍ଧିଜୀବୀ, ସଂସ୍କୃତିକର୍ମୀ ଓ ଶିଳ୍ପୀ ଉପସ୍ଥିତ ଥିଲେ ।
