ଜଗତସିଂହପୁର, ୨୬/୧୦/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ସଦର ଥାନା ଯୋଗଧାରୀ ଛକ ତଥା ନୂଆ ବସଷ୍ଟାଣ୍ଡ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ପାନ ଦୋକାନୀ ଜ୍ଞାନ ରଞ୍ଜନ ପୋଥାଳ ହତ୍ୟାକାଣ୍ଡ ଘଟଣାରେ ସଦର ପୋଲିସ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ସଦର ଥାନା ଅଧୀନ ଅଭିଧାନନ୍ଦପୁର ଗ୍ରାମର କେଶବ ଚନ୍ଦ୍ର ନାୟକଙ୍କ ପୁଅ କାର୍ତ୍ତିକ ନାୟକ (୩୦) ଓ ନାଉଗାଁ ଥାନା ଚକୁଳିପଡା ଗ୍ରାମର ପୀତବାସ ରାଉତରାୟ ଙ୍କ ପୁଅ ସବ୍ୟସାଚୀ ରାଉତରାୟ (୩୦)।
ଅଭିଯୁକ୍ତ କାର୍ତ୍ତିକଙ୍କ ଦ୍ୱାରା ଆୟୋଜିତ ନୂଆ ବୁଲେଟ କିଣା ଭୋଜିରେ ମୃତ ଜ୍ଞାନ ରଞ୍ଜନ ପୋଥାଳ ଓ ୨ ଅଭିଯୁକ୍ତଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ନେବା ପରେ ମୃତକ ଜ୍ଞାନ ରଞ୍ଜନ ନିଜ ପାନ ଦୋକାନରୁ ଏକ କଟୁରି ଆଣି ଅଭିଯୁକ୍ତ ମାନଙ୍କୁ ଆକ୍ରମଣ କରିଥିଲା। ପରେ ଅଭିଯୁକ୍ତମାନେ ବଳ ପୂର୍ବକ ଜ୍ଞାନ ରଞ୍ଜନଙ୍କ ହାତରୁ ଖଣ୍ଡା ଛଡାଇ ତାଙ୍କୁ କାବୁ କରି ପାଲଟା ଆକ୍ରମଣ କରି ହାଣିଥିଲେ। ଫଳରେ ଅତ୍ୟାଧିକ ରକ୍ତଶ୍ରାବ କାରଣରୁ ଜ୍ଞାନ ରଞ୍ଜନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ନେଇ ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ହତ୍ୟାରେ ବ୍ୟବହୃତ କଟୁରି ସହ ଗୋଟିଏ ବୁଲେଟ ଗାଡି ଯାହାର ନମ୍ବର ଓଡ଼ି.୨୧.ଟି- ୦୫୬୦ କୁ ମଧ୍ୟ ପୁଲିସ ଜବତ କରିଥିବା ସୂଚନା ଦେଇଛନ୍ତି ଏସପି।
