କେନ୍ଦ୍ରାପଡ଼ା,୨୩/୧୦/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପି.ଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲିପଡିଥିବା ଶିକ୍ଷକ ପଦବୀ ପୁରଣ କରାଯିବାକୁ ଅଭିଭାବକମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡ଼ା ଜିଲାର ଛାତ୍ରଛାତ୍ରୀମାନଙ୍କୁ ସି.ବି.ଏସ୍.ଇ ପାଠ୍ୟକ୍ରମରେ ଶିକ୍ଷାଦାନ ନିମନ୍ତେ ୨୦୧୦ ମସିହାରେ ଜିଲାର ବାରିମୂଳ ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା । ଏହାଦ୍ୱାରା କେନ୍ଦ୍ରାପଡ଼ା ଭଳି ଏକ କୃଷିଭିତିକ ଜିଲାର ଛାତ୍ରଛାତ୍ରୀମାନେ ସଫଳତାର ସହିତ ସି.ବି.ଏସ୍.ଇ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରି ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ବର୍ତମାନ ବିଦ୍ୟାଳୟରେ ଅର୍ଦ୍ଧାଧିକ ଶିକ୍ଷକ ପଦ ଖାଲିପଡିଥିବାରୁ ଉକ୍ତ ସ୍ଥାନରେ ଜିଲା ପ୍ରଶାସନ ପକ୍ଷରୁ ଚୁକ୍ତିଭିତିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ଶିକ୍ଷାଦାନ କାର୍ଯ୍ୟ ସମ୍ପାଦନ କରାଯାଉଅଛି ।
ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ଉନ୍ନତମାନର ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚିତ ହେବା ସହିତ ସେମାନଙ୍କ ଜୀବନର ଲକ୍ଷ୍ୟ ପୂରଣ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି । ବିଶେଷକରି ୨୦୧୯–୨୦ ଶିକ୍ଷାଦର୍ଷରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ବିଭାଗରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥାୟି ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ନିମନ୍ତେ ସଠିକ୍ ଗୁଣାତ୍ମକ ଶିକ୍ଷାଗ୍ରହଣରୁ ବଂଚିତ ହେଉଛନ୍ତି । ଯେଉଁଥିପାଇଁ ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟର ଦଶମ ଶ୍ରେଣୀରୁ ଉତୀର୍ଣ ହେବା ପରେ ସି.ବି.ଏସ୍.ଇ. କ୍ଷେତ୍ରରେ ଉଚ୍ଚଶିକ୍ଷା ନିମନ୍ତେ ବାଧ୍ୟହୋଇ ଜିଲା ବାହାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଉପରେ ନିର୍ଭର କରି ଅଯଥା ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।
ତେଣୁ ଜିଲାପାଳ ସହୃଦୟତାର ସହିତ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀଗୁଡ଼ିକ ତୁରନ୍ତ ପୂରଣ କରାଇବା ସହିତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ଏଥିସହିତ ବିଦ୍ୟାଳୟକୁ ଯିବା ପାଇଁ ଥିବା ରାସ୍ତାରେ ବାରିମୂଳ ଉପକାରାଗାରକୁ ବଡ ବଡ ଗାଡି ସବୁ ଯାଉଥିବାରୁ ସେହି ରାସ୍ତାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯିବାଆସିବା କରିବା ବିପଦ ସଙ୍କୁଳ ହୋଇପଡିଛି । ତେଣୁ ବିଦ୍ୟାଳୟକୁ ମୁଖ୍ୟରାସ୍ତାରୁ ସଂଯୋଗ କରୁଥିବା ଅପରପାଶ୍ୱର୍ ରାସ୍ତାଟି ଥିଲେ ମଧ୍ୟ ତାହାକୁ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି ବୋଲି ଅଭିଭାବକମାନେ ଦାବି କରିିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଅବିଭାବକ ସଂଘର ସଭାପତି ବିଷ୍ଣୁଚରଣ ସାମଲ, ସମ୍ପାଦକ ଅମରେନ୍ଦ୍ର ମହାନ୍ତି, ଧନେଶ୍ୱର ପାତ୍ର, ମହେନ୍ଦ୍ର କୁମାର ପ୍ରଧାନ, ଜତିନ୍ଦ୍ର ରାଉତ, ପ୍ରଭାକର ରାଉତ, ଦେବବ୍ରତ ଭୂୟାଁ, ପ୍ରଦିପ୍ତ କୁମାର ଶତପଥୀ, ମଧୁସ୍ମିତା ସ୍ୱାଇଁ, ଧନେଶ୍ୱର ମଲ୍ଲିକ, ମହେନ୍ଦ୍ର କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।
