ଭୁବନେଶ୍ୱର, ୧୦/୦୩/୨୦୨୪ (ଓଡ଼ିଶା ସମାଚାର)-ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣାସ୍ଥଳରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଏକଦଫା ଦାବି ସମ୍ବନ୍ଧରେ ସରକାରଙ୍କ ଟାଳଟୁଳ ନୀତି ବିରୁଦ୍ଧରେ ଆଗାମୀ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସଂଘର ରାଜ୍ୟ ସଭାପତି ବିଶ୍ୱରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ୩୦ଟି ଜିଲାରୁ ସଂଘର ପ୍ରମୁଖ କର୍ମକର୍ତାମାନେ ଉପସ୍ଥିତ ଥିଲେ । ସଂଘର ଏକମାତ୍ର ଦାବି ହେଉଛି ରାଜ୍ୟରେ ବିଭିନ୍ନ ଅନୁଦାନ ଓ ଅଣଅନୁଦାନ ମହାବିଦ୍ୟାଳୟ ମାନଙ୍କରେ ୨୦୦୮ ରୁ ୨୦୧୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରାଯାଉ । ଏହି ଦାବି ପାଇଁ ସଂଘ ତରଫରୁ ଦୀର୍ଘ ୪୯୦ ଦିନ ହେଲା ବିଧାନସଭା ସମ୍ମୁଖରେ ଗାନ୍ଧୀମାର୍ଗଠାରେ ବିଭିନ୍ନ ସମୟରେ ଧାରଣା, ଆନ୍ଦୋଳନ, ରାଲି, ଅନଶନ ଓ ବିକ୍ଷୋଭ ଭଳି କାର୍ଯ୍ୟପନ୍ଥା ହାତକୁ ନିଆଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଆସୁଅଛି । ଏପରିକି ସଂଘ ତରଫରୁ ବାରମ୍ବାର ଉଚ୍ଚଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ୫-ଟି ଅଧ୍ୟକ୍ଷ, ଅର୍ଥମନ୍ତ୍ରୀ, ଅର୍ଥ ସଚିବଙ୍କୁ ଦାବି ସମ୍ପର୍କରେ ଜଣାଇ ଆଲୋଚନା ସଂଘ ତରଫରୁ କରାଯାଇଅଛି । ବିଭିନ୍ନ ଜିଲାପାଳମାନଙ୍କ ମାଧ୍ୟମରେ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦିଆଯାଇଅଛି । ହେଲେ ବଡ଼ ଦୁଃଖ ଓ ପରିତାପର ବିଷୟ ଯେ, ସରକାର ଆମର ଦାବିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇ ଏବଂ ଖୁବ ଶୀଘ୍ର ପୁରଣ ହେବାର ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ ଅଣଦେଖା କରୁଥିବାରୁ ସଂଘ ତରଫରୁ କ୍ଷୋଭ ପ୍ରକାଶ କରାଯାଇଅଛି । ସରକାର ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ସଂଗଠନ ଏବଂ ଅନୁଷ୍ଠାନ ମାନଙ୍କର ଦାବିଗୁଡ଼ିକ ପୂରଣ କରୁଥିଲେ ମଧ୍ୟ ଆମର ଦାବି ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ସଂଘ ତରଫରୁ ଦୁଃଖ ଏବଂ କ୍ଷୋଭ ପ୍ରକାଶ କରାଯାଇଛି । ଏପରିକି ଗତ ୧୮.୧୧.୨୦୨୩ରେ ଆମର ଦାବି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ଆଲୋଚନା ହୋଇଥିଲେ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ନ ମିଳିବାରୁ ସଂଘକୁ ବହୁତ ଆଘାତ ଦେଇଛି, ଏବଂ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ସରକାର ଆମ ଦାବି ପୂରଣ ନ କରନ୍ତି, ତେବେ ୫ ହଜାରରୁ ଊଦ୍ଧ୍ୱର୍ ବେସରକାରୀ ଅଧ୍ୟାପକ ଓ କର୍ମଚାରୀମାନଙ୍କର ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାରକୁ ଚାଲିଯିବାର ଆଶଙ୍କା କରି ଆଗାମୀ ଦିନରେ ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ, ଭୋଟ ବର୍ଜନ କରିବୁ ଓ ବିଧାନସଭା ସମ୍ମୁଖରେ ସମୂହ ଆତ୍ମାହୂତି ଦେବୁ ବୋଲି ସଂଘର ସଭାପତି ବିଶ୍ୱରଂଜନ ଦାସ ଜଣାଇଛନ୍ତି ଏବଂ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।