କଟକ,୨୦/୦୭/୨୦୨୫ (ଓଡ଼ିଶା ସମାଚାର)- ଉଚ ଶିକ୍ଷା ବିଭାଗର ନିର୍ଦ୍ଧେଶକ୍ରମେ ଖ୍ରୀଷ୍ଟ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପକ୍ଷରୁ କାର୍ଯ୍ୟାଳୟରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ନିବାରଣ ସମ୍ପର୍କିତ ସଚେତନତା ଓ ତା’ର ନ୍ୟାୟିକ ପ୍ରତିକାର ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ମଧୁମିତା ପାତ୍ର ସ୍ୱାଗତ ଅଭିଭାଷଣ ଦେବା ସହ ମହିଳାମାନେ ତାଙ୍କର ଅଧିକାର ପ୍ରତି ସଚେତନ ହେବା ପାଇଁ ଆହ୍ୱାନ କରିଥିଲେ ।
ଓଡ଼ିଶା ହାଇକୋର୍ଟର ବରିଷ୍ଠ ଅଧିବକ୍ତା ସୁଜାତା ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଯୌନ ଉତ୍ପୀଡ଼ନର ବିଭିନ୍ନ କାରଣ ଓ ନ୍ୟାୟିକ ନିରାକରଣ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଉପାଧ୍ୟକ୍ଷା ଡଃ କ୍ଷଣପ୍ରଭା ନନ୍ଦ, ଗୃହବିଜ୍ଞାନ ବିଭାଗର ମୁଖ୍ୟ ଡଃ ବିନିତା ନନ୍ଦ, ମନୋବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ସାଦିଆ ଆଲାମ ପ୍ରମୁଖ ମହିଳାମାନଙ୍କର ପ୍ରତି ହେଉଥିବା ଉତ୍ପୀଡ଼ନର ବିଭିନ୍ନ ଦିଗ ସମ୍ପର୍କରେ ଅଭିଭାଷଣ ରଖିଥିଲେ ।
ଇଂରାଜୀ ବିଭାଗ ଅଧ୍ୟାପିକା ଡଃ ଜୀତା ରାୟ ଧନ୍ୟବାଦ୍ ଦେଇଥିଲେ । କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟ ମଧୁସ୍ମିତା ଯାଚକ, ଡଃ ସ୍ୱାତୀ ମହାନ୍ତି, ଡଃ ଲକ୍ଷ୍ମୀକାନ୍ତ ମିଶ୍ର, ଡଃ ମଙ୍ଗରାଜ ପାତ୍ର, ସମାଜସେବୀ ଶ୍ରୀଲତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କର୍ମଶାଳାରେ କଲେଜର ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସକି୍ରୟ ଅଂଶଗ୍ରହଣ କରି ଯୌନ ଶୋଷଣମୁକ୍ତ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ ।
