ପୁରୀ,୨୦/୧୦/୨୦୨୫(ଓଡ଼ିଶା ସମାଚାର)-ପୁରୀ ଜିଲା ସ୍ତରୀୟ ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷ ଓସଡାମା ଓ ଜିଲା ଜରୁରୀ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଅନେକ ବିପର୍ଯ୍ୟୟ ସମ୍ପର୍କରେ ଆମେ ବୈଷୟିକ ଜ୍ଞାନ ର ଉପଯୋଗ କରି ଆଗୁଆ ସୂଚନା ପାଉଥିବା ବେଳେ ଅନେକ ବିପର୍ଯ୍ୟୟ ର କୌଣସି ସୂଚନା ବିନା ଅତର୍କିତ ସମ୍ମୁଖୀନ ହେବାକୁ ପଡିଥାଏ ।
ତେବେ ପୂର୍ବ ପ୍ରସ୍ତୁତି ଧନ ଜୀବନର କ୍ଷୟକ୍ଷତିକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ତେଣୁ ଆମେ ଉପଯୁକ୍ତ ପ୍ରଶିକ୍ଷିତ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ପୁରୀ ଜିଲାର ୪ଟି ବ୍ଲକ ଅସ୍ତରଙ୍ଗ, କାକଟପୁର, ଗୋପ ଓ ବ୍ରହ୍ମଗିରିର ୮୬ଟି ଗ୍ରାମ ଓ ୨୩ଶଟି ୱାର୍ଡ ସୁନାମୀ ଦ୍ୱାରା କ୍ଷତିଗ୍ରସ୍ତ ଜୋନ୍ ରେ ଆସୁଥିବାରୁ ସେହି ଅଂଚଳର ଲୋକମାନଙ୍କୁ ଅଧିକ ସତର୍କ ଓ ସଚେତନ ର ଆବଶ୍ୟକତା ସମ୍ପର୍କରେ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ ।
ମାଷ୍ଟର ଟ୍ରେନର ଭାବେ ଓସଡାମା ର ଡିଜିଏମ ଅମ୍ବିକା ମିଶ୍ର ସୁନାମୀର ଅର୍ଥ, ସୁନାମୀ ହେବାର କାରଣ, ନିରାକରଣ, ଉଦ୍ଧାର, ଥଇଥାନ ଓ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ସଚେତନ, ସତର୍କତା ଓ ଅନ୍ୟମାନଙ୍କୁ ସଚେତନ ସମସ୍ତ ବିପର୍ଯ୍ୟୟ କମେଇବାରେ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ । ପ୍ରାରମ୍ଭରେ ଜିଲା ଜରୁରୀ ଅଧିକାରୀ ମନୀଷା ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ୱାଗତ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କ୍ଷତିଗ୍ରସ୍ତ ଆଶଙ୍କା ଥିବା ୪ଟି ବ୍ଲକ୍ ର କର୍ମକର୍ତା, ପଂଚାୟତ ଲୋକ ପ୍ରତିନିଧି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସ୍ୱେଛାସେବୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜରୁରୀ ବିଭାଗର ଡିିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟ କର୍ମଚାରୀମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
