ନୂଆପଡା,୨୦/୧୦/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ନଭେମ୍ୱର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ନିର୍ବାଚନ କମିଶନ୍ ଙ୍କ ଦ୍ୱାରା ତିନି ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ହିସାବରେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ପ୍ରକାଶ ବିନ୍ଦୁ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ହିସାବରେ ଅତୁଲ୍ ପାଣ୍ଡେ, ଭାରତିୟ ରାଜସ୍ୱ ସେବା, ଏବଂ ପୋଲିସ୍ ପର୍ଯ୍ୟବେକ୍ଷକ ହିସାବରେ ବି ଶଙ୍କର୍ ଜଇସ୍ୱାଲ୍ , ଭାରତୀୟ ପୋଲିସ୍ ସେବା ନୂଆପଡାରେ ନିଜ ନିଜ ଦାୟିତ୍ୱରେ ଯୋଗ ଦେବେ ।
ସୂଚନାଯୋଗ୍ୟ ଯେ ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ସମସ୍ତ ପ୍ରକ୍ରିୟାକୁ ନିକଟରୁ ଅନୁସରଣ କରି, ସ୍ୱଚ୍ଛ, ନିରପକ୍ଷ ଓ ପାରଦର୍ଶୀ ଭାବରେ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପର୍ଯ୍ୟବେକ୍ଷକମାନେ ରାଜନୈତିକ ଦଳ, ପ୍ରାର୍ଥୀ ଓ ମତଦାତାଙ୍କ ପାଇଁ ସବୁବେଳେ ଉପଲବ୍ଧ ରହି, ତାଙ୍କ ଅଭିଯୋଗ ଓ ଅସୁବିଧାଗୁଡିକୁ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି । ସେମାନେ ମତଦାନ କେନ୍ଦ୍ରଗୁଡ଼ିକୁ ଭ୍ରମଣ କରି, ଆୟୋଗ ଦ୍ୱାରା ନିକଟରେ ନିଆଯାଇଥିବା ପଦକ୍ଷେପମାନଙ୍କ ସଠିକ କାର୍ଯ୍ୟାନ୍ୱୟନ ଓ ମତଦାତାଙ୍କ ସୁବିଧା ସୁନିଶ୍ଚିତ କରିବେ ।
ନୂଆପଡା ଉପନିର୍ବାଚନ ପାଇଁ ଅଦ୍ୟାବଧି ୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ଶ୍ରୀ ଆଶ୍ରୟ ମହାନନ୍ଦ – ସ୍ୱାଧୀନ ପ୍ରାର୍ଥୀ, ଶ୍ରୀ ଶୁକଦେବ ଦଣ୍ଡସେନା -ଓଡିଶା ଜନତା ଦଳ , ଶ୍ରୀ ପୁରୁଷୋତମ ବେହେରା -ସ୍ୱାଧୀନ, ଶ୍ରୀ ଘାସିରାମ ମାଝୀ – ଭାରତୀୟ ଜାତୀୟ କଂଗ୍ରେସ ଏବଂ ଶ୍ରୀ ଜୟ ଢୋଲକିଆ –ଭାରତୀୟ ଜନତା ଦଳ ଓ ଆଜି ଶେଷ ଦିବସରେ ବିଜେଡ଼ି ର ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିଛନ୍ତି ।
ନିର୍ବାଚନ ବିଜ୍ଞପ୍ତି ଅନୁସାରେ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୦ ତାରିଖ ଧାର୍ଯ୍ୟ ହୋଇଛି । ଅକ୍ଟୋବର ୨୨ ରେ ନାମାଙ୍କନ ପତ୍ର ଯାଂଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ନଭେମ୍ୱର ୧୧ ତାରିଖରେ ଭୋଟ ଗ୍ରହଣ ଏବଂ ନଭେମ୍ୱର ୧୪ ତାରିଖ ରେ ଗଣତି ହୋଇ ୧୬ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ନିର୍ବାଚନ ତଦାରଖ ପ୍ରକ୍ରିୟାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଜିଲାପାଳ ମଧୁସୂଦନ ଦାଶ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।
