ମାହାଙ୍ଗା,୦୯/୧୦/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ବୈଷ୍ଣବ ପାଣିଙ୍କ ଅଧିକାଂଶ ନାଟକ ଅତ୍ୟନ୍ତ ମାର୍ମିକ ଓ ବୋଧଗମ୍ୟ । ସେଥିପାଇଁ ତାଙ୍କ ନାଟକ ଗୁଡିକ ସବୁ ବର୍ଗର ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଛି । ସରଳ, ତରଳ,ସାବଲୀଳ ଶବ୍ଦ ସଂଯୋଜନା ତାଙ୍କ ନାଟକକୁ ଅଧିକ ଜନାଦୃତ କରିପାରିଛି ।
ଗଣକବିଙ୍କ କୃତୀ ଓ କୀର୍ତ୍ତିକୁ ନେଇ ଓଡ଼ିଆ ଜାତି ସବୁବେଳେ ଗର୍ବିତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ହରିଭକ୍ତପୁର କୋଠିଛକ ଠାରେ ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ କବିଙ୍କ ୧୪୩ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ସଭାରେ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷ୍ଣବ ପାଣିଙ୍କୁ ଜଣେ ଯୁଗ ପୁରୁଷ ଭାବେ ଅଭିହିତ କରିଥିଲେ । ତାଙ୍କ ନାଟକରେ ମାନବିକତାର ଜୟଗାନ ହିଁ ‘ ସବୁଠାରୁ ଉଲ୍ଲେଖନୀୟ ଦିଗ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇଥିଲେ ।
ମୁଖ୍ୟବକ୍ତା ଭାବେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ ପାଣିସାହିତ୍ୟର ବୈଭବମୟ ଦିଗ ଉପରେ ଆଲୋଚନା କରିଥିଲେ । ସ୍ଥାନୀୟ ତହସିଲଦାର ଶୁଭାଶିଷ ପାଲଟା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣକବିଙ୍କ କାଳଜୟୀ ନାଟକ ସମାଜରେ ବଡ଼ ପରିବର୍ତ୍ତନ ଆଣିପାରିଥିଲା ବୋଲି କହିଥିଲେ । ସମ୍ମାନିତ ଅତିଥି ପ୍ରାଧ୍ୟାପକ ଡକ୍ଟର ମନୋରଞ୍ଜନ ବେହୁରା କହିଲେ ଗଣକବିଙ୍କ ସାହିତ୍ୟ ସମାଜରେ ନବ ଜାଗରଣ ଗଢି ତୋଳିଥିଲା । ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା କନକଲତା ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମିତିସଭ୍ୟ ଧ୍ରୁବ ଚରଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଗଣକବିଙ୍କ ରଚିତ ଗୀତିନାଟ୍ୟ ମଞ୍ଚସ୍ଥ ହୋଇଥିଲା ।
