ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ସମାରୋହ 

ବାଜି ରାଉତ ଙ୍କ ବଳିଦାନ ବିଶ୍ଵ ବିଦିତ

ନିଳକଣ୍ଠପୁର କୁ ବିରପୁତ୍ର ଐତିହ୍ୟ ଗ୍ରାମ ମାନ୍ୟତା

ଭୁବନ ୦୫/୧୦/୨୦୨୫ (ଓଡ଼ିଶା ସମାଚାର)-  ଭାରତର ଗୌରବ, ଓଡ଼ିଶାର ଗର୍ବ ସହିଦ ବାଜି ରାଉତଙ୍କ ସାହସ ଓ ତ୍ୟାଗ ଓଡ଼ିଆ ଜାତିର ବୀରତ୍ବ ବଖାଣେ । ମାତ୍ର ୧୨ବର୍ଷ ବୟସରେ ସେ ବ୍ରିଟିଶ ଗୁଳି ଆଗରେ ଛାତି ପତେଇଦେଇଥିଲେ । ବାଜି ରାଉତଙ୍କ ସାହସ ଯୁବଗର୍ବଙ୍କ ଆଦର୍ଶ । ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନରେ ବାଜି ରାଉତଙ୍କ ପଥ ଅନୁସରଣୀୟ ବୋଲି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁର ଠାରେ ଆୟୋଜିତ ବାଜି ରାଉତ ଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ ।

ବାଜି ରାଉତଙ୍କ ଆଦର୍ଶକୁ ଉଜ୍ଜିବିତ ରଖିବାକୁ ଭୁବନେଶ୍ବରର ଏକ ରାସ୍ତାକୁ ବାଜି ରାଉତଙ୍କୁ ନାମରେ ନାମିତ କରାଯିବା ସହ ବାଜି ରାଉତଙ୍କ ନାମରେ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ବାଜି ରାଉତଙ୍କ ସ୍ମୃତି ପିଠରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ବାଲୁକା କଳା ଓ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ।

ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ବାଜି ରାଉତଙ୍କ ସ୍ମୃତି ଚାରଣ କରି କହିଥିଲେ, ଭାରତର କନିଷ୍ଠତମ ସ୍ଵାଧୀନତା ସଂଗ୍ରାମୀଭାବେ ବୀର ବାଳକ ଶହିଦ ବାଜି ରାଉତଙ୍କ ଜୀବନ ସ୍ୱଳ୍ପ, କିନ୍ତୁ ତାଙ୍କର ବୀରଗାଥା ଚିରଦିନ ପାଇଁ ପ୍ରେରଣାଦାୟୀ। ତାଙ୍କ କର୍ତ୍ତବ୍ୟ, ଦେଶ ଓ ଜାତି ପାଇଁ ଅବଦାନ ପାଖରେ ଆଜି ଏ ଓଡିଆ ଜାତି ନତ ମସ୍ତକ। ବାଜି ରାଉତଙ୍କର ଅସାଧାରଣ ଦେଶ ପ୍ରେମ, ସାହାସ ଓ ଅସୀମ ତ୍ୟାଗ ଆଜି ଓଡିଆ ଜାତି ପାଇଁ ମହାନ ଗର୍ବ ଓ ଗୌରବର ପ୍ରତୀକ। ଏକ ଛୋଟ ଗାଁରେ ଜନ୍ମ ହୋଇଥିଲେ ମଧ୍ୟ ସାରା ଜାତି ଓ ଜନ୍ମଭୂମି ପାଇଁ ମାତ୍ର ୧୨ ବର୍ଷ ବୟସରେ ଜୀବନ ଉତ୍ସର୍ଗ କରି ଆଗାମୀ ପିଢି ନିମନ୍ତେ ସେ ପାଲଟି ଗଲେ ପ୍ରେରଣାର ଉତ୍ସ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ବରପୁତ୍ର ମାନେ ହେଉଛନ୍ତି ଆମର ଆଦର୍ଶ। ରାଜ୍ୟର ମହାପୁରୁଷ ଓ ମହାମନୀଷୀଙ୍କ ଜୟନ୍ତୀ କିମ୍ବା ବଳିଦାନ ଦିବସ ଭୁବନେଶ୍ଵର ନୁହେଁ, ତାଙ୍କ ଜନ୍ମମାଟିରେ ପାଳନ କରାଯିବ । ଯାହା ଆଜି ପାଳନ ହେଉଛି । ବାଜି ରାଉତଙ୍କ ଗାଁକୁ ବରପୁତ୍ର ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇ ଉନ୍ନତି କାର୍ଯ୍ୟ କରାଯାଉଛି । ବାଜି ରାଉତଙ୍କ ସ୍ମୃତିରେ ଢେଙ୍କାନାଳ ଠାରେ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଯାହା ଯୁବ ପିଢିଙ୍କ କ୍ରୀଡା ପ୍ରତିଥିବା ଉଚ୍ଚ ଆଶାକୁ ଆହୁରି ଆଗକୁ ନେଇଯିବ। ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଦ୍ବାରା ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ଅର୍ଥାତ ଯୁବଶକ୍ତିର ଉତ୍ଥାନ ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଜିରାଉତଙ୍କ ଦାୟାଦ ଓ ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ପୁସ୍ତକ ‘ ଢେଙ୍କାନାଳ ଗଣସଂଗ୍ରାମର ଅମର ସହିଦ ବାଜି ରାଉତ ‘ ଓ ବାଜିରାଉତଙ୍କ ଫଟୋ ଉନ୍ମୋଚନ କରିଥିଲେ ।

ଏହି ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବାଜି ରାଉତଙ୍କ ସାହସ, ବଳିଦାନକୁ ମନେପକାଇ ଏହା ଚିରଦିନ ଉଜ୍ଜିବିତ ରହିବ ବୋଲି କହିଥିଲେ। ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ୧୨ ବର୍ଷର ବାଳକର ବୀରତ୍ବ, ସାହସ ଏ ଓଡ଼ିଆ ଜାତିକୁ ଗୌରବାନ୍ବିତ କରିଛି । ପ୍ରଜାମଣ୍ଡଳ ଆନ୍ଦୋଳନ ଢେଙ୍କାନାଳର ବୀରତ୍ବ ବଖାଣେ ବୋଲି କହିଥିଲେ ।

ସମ୍ମାନୀତ ଅତିଥିଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୂତି ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ତଥା ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ୍ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *