କେନ୍ଦ୍ରାପଡ଼ା,୦୫/୧୦/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ମଢିଆଳ ଗଙ୍ଗା ଭଗୀରଥ ପୂଜା କମିଟି ଚଳିତ ବର୍ଷ ତାର ୮୪ତମ ପୂର୍ତି ପାଳନ କରିବାକୁ ଯାଇଛି । ପୂଜା କମିଟି ପକ୍ଷରୁ ଚାନ୍ଦି ମେଢ ପ୍ରସ୍ତୁତ କରାଯାଇଥିବା ବେଳେ ସେଥିରେ ସୁନାର ବିଭିନ୍ନ କାରୁକାର୍ଯ୍ୟ କରାଯାଇଛି ।ମେଢରେ ବିଭିନ୍ନ ପ୍ରକାର ଲାଇଟ୍ ସାଜ୍ଜସଜ୍ଜା କରାଯାଇଛି । ଚାନ୍ଦି ମେଢରେ ଏକ କ୍ୱିନ୍ଟାଲ ୭୦କିଲୋଗ୍ରାମ ଚାନ୍ଦି ଲାଗିଥିବା ବେଳେ ୩୦ଗ୍ରାମ ସୁନାରେ ମଧ୍ୟ ହାର ଓ ଅନ୍ୟାନ୍ୟ ଅଳଙ୍କାର ମା’ଙ୍କ ପାଇଁ ନିର୍ମାଣ କରାଯାଇଛି ।
କଳସ ଯାତ୍ରା ନିମନ୍ତେ କଲିକତାରୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ନୃତ୍ୟଶିଳ୍ପୀ ଆସି ପହଂଚିବେ । ଡେକୋରେସନ୍ ପାଇଁ ମଧ୍ୟ କଲିକତାରୁ ଡେକୋରେଟର ଆସିଛନ୍ତି । ସୁନାମ ଧନ୍ୟ କଣ୍ଠଶିଳ୍ପୀ ଶକ୍ତିମିଶ୍ର ଅକ୍ଟୋବର ୧୧ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ୧୨ ଓ ୧୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମେଲଣ ଓ ଭଷାଣୀ ଉତ୍ସବରେ ଶ୍ରୀକାକୁଲମ୍ ବ୍ୟାଣ୍ଡପାର୍ଟି ଓ କଲିକତା ଏବଂ ଢେଙ୍କାନାଳର ଢୋଲ ବାଜା ବାଜିବାର କାର୍ଯ୍ୟକ୍ରମ ରହିଛି ।
ପୂଜା ପର ଠାରୁ ୭ଦିନ ବ୍ୟାପି ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ଏହି ଉତ୍ସବ ପାଳନ କରିବାକୁ ପୂଜା କମିଟି ସଭାପତି ସୁବାଷ ଚାନ୍ଦ ଓ ସମ୍ପାଦକ ନିଗମାନନ୍ଦ ସାହୁ କେନ୍ଦ୍ରାପଡା ସହରବାସୀଙ୍କୁ ନିବେଦନ କରିଛନ୍ତି । ଚାନ୍ଦିମେଢ ଏବଂ ଭସାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାପାଇଁ ସମାଜସେବୀ ସମୀର କୁମାର ଚାନ୍ଦ ସମସ୍ତ ମେଢର କର୍ମକର୍ତାମାନଙ୍କୁ ନିବେଦନ କରିଛନ୍ତି ।
୫୨ ବର୍ଷ ଧରି କଟକର ମୂର୍ତଶିିଳ୍ପୀ ବସନ୍ତ ବେହେରାଙ୍କ ଦ୍ୱାରା ମା’ଙ୍କ ମୂର୍ତି ନିର୍ମାଣ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ପୂଜାରେ କଲିକତାର ପାରମ୍ପରିକ ଢୋଲବାଜା,ଲାଇଟ୍ ଡେକୋରେସନ, କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଓ ଶ୍ରୀକାକୁଲମ୍ ବ୍ୟାଣ୍ଡପାର୍ଟି ପ୍ରଭୃତି ପୂଜାର ମୁଖ୍ୟ ଆକର୍ଷଣ ରହିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଚାନ୍ଦି ମେଢରେ ଚଳିତବର୍ଷ ଲାଇଟ୍ ସାଜ୍ଜସଜ୍ଜାକୁ ଗୌରାଙ୍ଗ ଚରଣ ବେହେରା ଓ ଆଦିତ୍ୟ ଚରଣ ମହାପାତ୍ର ନୂତନ ଭାବେ ସଜେଇଛନ୍ତି ।
