ଭୂଦାନ ଆନ୍ଦୋଳନର ୭୫ତମ ବର୍ଷ ପୂର୍ତ୍ତି ଅବସରରେ “ଆତ୍ମନିର୍ଭର ଭାରତ ଓ ଯୁବଶକ୍ତି” ଶୀର୍ଷକ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର,୧୧/୦୯/୨୦୨୬ (ଓଡ଼ିଶା ସମାଚାର)-  ଭାରତରତ୍ନ ସନ୍ଥ ବିନୋବା ଭାବେଙ୍କ ୧୩୨ତମ  ଜୟନ୍ତୀ ଏବଂ ଭୂଦାନ ଆନ୍ଦୋଳନର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ବିନୋବା ସେବା ପ୍ରତିଷ୍ଠାନ ପକ୍ଷରୁ “ଆତ୍ମନିର୍ଭର ଭାରତ ଓ ଯୁବଶକ୍ତି” ଶୀର୍ଷକ ଏକ ବିଶେଷ ଆଲୋଚନାଚକ୍ର ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ଭଗବାନ ପ୍ରକାଶ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ପ୍ରତିଷ୍ଠାନର ସମ୍ପାଦକ ଶ୍ରୀ ମନୋଜ ଜେନା ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଵିଶିଷ୍ଟ ଶିକ୍ଷାବିତ ଓ ଲେଖକ ପ୍ରଫେସର ଦାଶ ବେନହୁର ଏବଂ ସର୍ବୋଦୟ କର୍ମୀ ଶ୍ରୀ ମୁକ୍ତେଶ୍ୱର ପ୍ରଧାନଙ୍କୁ ସମ୍ମାନଜନକ “ ଗାନ୍ଧୀ ବିନୋବା  ଶାନ୍ତି ପୁରସ୍କାର” ପ୍ରଦାନ କରି ସମ୍ମାନିତ କରାଯାଇଥିଲା।  ଶାନ୍ତି, ସେବା, ସାମାଜିକ ଦାୟିତ୍ୱ ଓ ମାନବିକ ମୂଲ୍ୟବୋଧ ପ୍ରତି ସେମଗାନ୍ଧୀ ଅବଦାନକୁ ଏହି ସମ୍ମାନ ମାଧ୍ୟମରେ ସ୍ୱୀକୃତି ଦିଆଯାଇଥିଲା। ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ, ଅହିଂସା, ସର୍ବୋଦୟ ଓ ଗ୍ରାମ ସ୍ୱରାଜର ଆଦର୍ଶକୁ ଆଜିର ଯୁବପିଢ଼ି ସହ ଯୋଡ଼ିବା ସହିତ ଆତ୍ମନିର୍ଭର ଭାରତ ଗଠନରେ ଯୁବଶକ୍ତିର ଭୂମିକା ନେଇ ଆଲୋଚନା ହୋଇଥିଲା। ଯୁବପିଢ଼ି କେବଳ ଭବିଷ୍ୟତର ନାଗରିକ ନୁହନ୍ତି, ବରଂ ବର୍ତ୍ତମାନର ପରିବର୍ତ୍ତନର ମୁଖ୍ୟ ଶକ୍ତି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।

ପ୍ରତିଷ୍ଠାନର ଉପାଧ୍ୟକ୍ଷା ଡ. ରୀନା ରାଉତରାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅବସରପ୍ରାପ୍ତ ପ୍ରଶାସକ ତଥା ବିନୋବା ସେବା ପ୍ରତିଷ୍ଠାନର ଉପଦେଷ୍ଟା ଶ୍ରୀ ଜୟନ୍ତ କୁମାର ଦାସ ଯୁବଶକ୍ତି, ମୂଲ୍ୟବୋଧ ଓ ରାଷ୍ଟ୍ର ଗଠନ ସମ୍ପର୍କରେ ନିଜର ମତ ରଖିଥିଲେ। ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ଯୁବ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗଦେଇଥିଲେ। ବାରବାଟୀ-କଟକର ବିଧାୟିକା ଶ୍ରୀମତୀ ସୋଫିଆ ଫିର୍ଦୋସ, ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଏବଂ ଇଷ୍ଟର୍ନ ଇଣ୍ଡିଆ ଡେଭଲପମେଣ୍ଟ ଫୋରମ୍‌ର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ କୁମାର ପ୍ରମୁଖ ଅତିଥି ବକ୍ତା ଭାବେ ଯୋଗଦେଇଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଆଲୋଚନାଚକ୍ରରେ ସକ୍ରିୟ ଭାବେ ଭାଗ ନେଇଥିଲେ।  ଯୁବପିଢ଼ିଙ୍କ ମଧ୍ୟରେ ବିନୋବା ଭାବେଙ୍କ ଚିନ୍ତାଧାରା, ଗାନ୍ଧୀବାଦୀ ମୂଲ୍ୟବୋଧ, ଆତ୍ମନିର୍ଭରତା ଓ ଦେଶ ଗଠନର ଭାବନାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜର ମତ, ପ୍ରଶ୍ନ ଓ ଚିନ୍ତାଧାରା ରଖିଥିଲେ। ଯୁବମାନଙ୍କ ମଧ୍ୟରେ ସ୍ୱାବଲମ୍ବନ, ଉଦ୍ୟମିତା, ସାମାଜିକ ଦାୟିତ୍ୱ ଓ ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିନୋବା ସେବା ପ୍ରତିଷ୍ଠାନର ସଂଯୋଜକ ଶ୍ରୀ ପ୍ରସନ୍ନ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବକ୍ତାମାନେ କହିଥିଲେ ଯେ, ବିନୋବାଙ୍କ ଚିନ୍ତାଧାରାକୁ କେବଳ ଇତିହାସର ପୃଷ୍ଠାରେ ସୀମିତ ନରଖି ଆଜିର ଯୁବପିଢ଼ିର ଚିନ୍ତା, କାର୍ଯ୍ୟ ଓ ନେତୃତ୍ୱ ସହ ଯୋଡ଼ିବା ହିଁ ତାଙ୍କ ପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆତ୍ମନିର୍ଭର ଯୁବଶକ୍ତି ହିଁ ଏକ ସଶକ୍ତ, ସମାନତାମୂଳକ ଓ ଶାନ୍ତିପୂର୍ଣ୍ଣ ଭାରତ ଗଠନର ମୂଳ ଆଧାର ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ପ୍ରାରମ୍ଭରେ ବିନୋବା ଭାବେଙ୍କ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରଶ୍ନ ପଚାରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *