ମଙ୍ଗଳପୁର ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଦଶରଥପୁର,୨୯/୦୩/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏସଡିପିଓ ସତ୍ୟବ୍ରତ ଲେଙ୍କା ଓ ମଙ୍ଗଳପୁର ଥାନାର ଆଇଆଇସି ଚିନ୍ମୟୀ ସାହୁଙ୍କ ଦ୍ୱାରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ କି ଗତ ୨୫ ତାରିଖରେ ମଙ୍ଗଳପୁର ଥାନା ଅଧିନ ବଉଳାଙ୍ଗ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ରାତି ପ୍ରାୟ ୧ ଟା ସମୟରେ ବ୍ୟାଙ୍କର ସମ୍ମୁଖ ଗେଟ ସହ ମୋଟ ୬ ଗୋଟି ଗେଟ ଭାଙ୍ଗି ଡକାୟତ ମାନେ ବ୍ୟାଙ୍କ ଭିତରେ ପଶି ବ୍ୟାଙ୍କର ସିସି କ୍ୟାମେରା ଗୁଡିକୁ ଭାଙ୍ଗିବା ସହ କମ୍ପ୍ୟୁଟର ଓ ମନିଟର ସମେତ ମୂଲ୍ୟବାନ ୮ ଗୋଟି ସାମଗ୍ରୀକୁ ଚୋରି କରି ନେଇଥିଲେ । ଚୋରି କରି ଫେରିବା ସମୟରେ ପଲ୍ଲାସାହି ଗ୍ରାମ ବାସୀମାନେ ଡକାୟତ ମାନଙ୍କୁ ଅଟକ ରଖିବା ସହ ମଙ୍ଗଳପୁର ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ସଦଳ ବଳେ ସେଠାରେ ପହଞ୍ଚି ମାହାଙ୍ଗାର ମିଥୁନ ସାହା, ଧନଞ୍ଜୟ ସିଂ, ସମୀର କୁମାର ଦାଶ, ପାଣି କୋଇଲିର ଅମିନ ମୁଣ୍ଡା, ଓଲଗର ସତ୍ୱେଶ୍ୱର ବେହେରା, ପ୍ରମୁଖ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲେ । ଏହାପରେ ବଉଳାଙ୍ଗ ବ୍ୟାଙ୍କର ମ୍ୟାନେଜର ବିଦୁଭୂଷଣ ସାହୁଙ୍କ ଅଭିଯୋଗ ପରେ ମଙ୍ଗଳପୁର ପୋଲିସ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ଚୋର ମାନେ ବ୍ୟାଙ୍କ ଚୋରୀରେ ସମ୍ପୃକ୍ତ ଥିବା ଜଣା ପଡିଥିଲା । ବର୍ତ୍ତମାନ ତଦନ୍ତ ଜାରିରହିଛି । ଉକ୍ତ ଚୋରୀରେ ଆଉ ଜଣେ ସମ୍ପୃକ୍ତ ଥାଇ ବର୍ତମାନ ସେ ଫେରାର ରହିଛି । ଖୁବ ଶୀଘ୍ର ଉକ୍ତ ଚୋରକୁ ଧରା ଯିବ ବୋଲି ଏସଡିପିଓ କହିଥିଲେ । ଆସାମୀ ମାନଙ୍କୁ ମେଡିକାଲ ଟେଷ୍ଟ କରାଯିବା ସହ କୋର୍ଟ ଚାଲାଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *