ଯାଜପୁର,୨୮/୦୯/୨୦୨୫ (ଓଡ଼ିଶା ସମାଚାର)-ଗତକାଲି ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା, କଟକଙ୍କ ଦ୍ଵାରା ଆୟୋଜିତ ସ୍ପେଶାଲ ଓଡିଶା ଟିଚର ଇଲିଜିବୁଲ ଟେଷ୍ଟ ୨୦୨୫ ଯାଜପୁର ଜିଲ୍ଲାର ୮ ଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳାର ସହ ସମାପ୍ତ ହୋଇଛି । ଯାଜପୁର ମୁନିସିପାଲିଟି ଅନ୍ତର୍ଗତ ଜିଲ୍ଲା ସ୍କୁଲ, ବିରଜା ହାଇସ୍କୁଲ, ମ୍ୟୁନିସିପାଲ ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୈଷ୍ଣବ ଦତ୍ତ ହାଇସ୍କୁଲ, ହରିସାମନ୍ତ ହାଇସ୍କୁଲ, ସରସ୍ବତୀ ବିଦ୍ୟାମନ୍ଦିର ଓ ଉପେନ୍ଦ୍ର କୁମାର ହାଇସ୍କୁଲରେ ପରୀକ୍ଷା କେନ୍ଦ୍ରମାନ ହୋଇଥିଲା ।
ଉକ୍ତ ବିଦ୍ୟାଳୟ ଗୁଡିକ ମଧ୍ୟରୁ କେବଳ ୪ ଟି ପରୀକ୍ଷା କେନ୍ଦ୍ରରେ ପ୍ରଥମ ସିଟିଙ୍ଗରେ ପ୍ରଥମ ପତ୍ର ଅନୁଷ୍ଠିତ ହୋଇଥିଲା ବେଳେ ସମସ୍ତ ୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱତୀୟ ସିଟିଙ୍ଗରେ ଦ୍ୱତୀୟ ପତ୍ରର ପରୀକ୍ଷା ହୋଇଥିଲା । ପ୍ରଥମ ପତ୍ରରେ ୯୭୭ ଜଣ ଆଶାୟୀ ଥିଲାବେଳେ ୫୪ ଜଣ ଅନୁପସ୍ଥିତ ଥିଲେ । ସେହିପରି ଦ୍ୱତୀୟ ପତ୍ରରେ ୧୬୦୦ ଜଣ ଆଶାୟୀ ଥିଲାବେଳେ ୫୩ ଜଣ ଅନୁପସ୍ଥିତ ଥିଲେ । ଯାଜପୁର ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଆରକ୍ଷୀଙ୍କ ସମ୍ପୂର୍ଣ ସହଯୋଗରେ ଦୁଇ ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ସଦର ଆଇ ଆଇ ସି, ଅତିରିକ୍ତ ତହସିଲଦାର, ଜିଲ୍ଲା ସ୍ପୋର୍ଟ୍ସ ଅଫିସର, ଜିଲ୍ଲା ଶିକ୍ଷାଧିକାରୀ, ଦୁଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ, ସମସ୍ତ ମଣ୍ଡଳ ଶିକ୍ଷାଧିକାରୀ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ରର ଦାୟିତ୍ୱରେ ଥିଲେ ।
ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶ୍ରେଣୀମାନଙ୍କରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ପରୀକ୍ଷା ଦେଇଥିଲେ । ୮ ଟି କେନ୍ଦ୍ରରେ ୮ ଜଣ କେନ୍ଦ୍ର ନିରୀକ୍ଷକଙ୍କ ସହ ୮ ଜଣ ଅବଜରଭର ନିଯୁକ୍ତି ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା କରାଯାଇଥିଲା । ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ ଓ ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ବୁଲି ପରୀକ୍ଷାର ଶୃଙ୍ଖଳାକୁ ତଦାରଖ କରିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନଙ୍କୁ ସମୟାନୁକ୍ରମେ ଆବଶ୍ୟକ ତଥ୍ୟ ପ୍ରଦାନ କରାଯାଇଥିଲା ।
