ମାର୍ଗଦର୍ଶିକା ଆଧାରରେ ସମ୍ପନ୍ନ ହେବ ପ୍ରକ୍ରିୟା
ପୁରୀ, ୧୮/୦୯/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବ । ସେହିଦିନ ଭୋର୍ ୪ ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଦର୍ଶନ ନେଇ ରହିବ କଟକଣା । ପାଳିଆ ସେବାୟତଙ୍କୁ ପାସ୍ ଦିଆଯିବ । ଅସ୍ଥାୟୀ ଖଟ ଶେଯ, ଫୁଲ ଶେଯ ଓ ଚାଙ୍ଗଡ଼ା ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ସକାଳ ୭.୧୭ମିନିଟ୍ ରୁ ୧୧.୧୭ ଭିତରେ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ କରାଯିବ । ସ୍ଥାନାନ୍ତରଣ ଶେଷ ହେବା ପର୍ଯ୍ୟନ୍ତ ଦର୍ଶନ ଉପରେ କଟକଣା ରହିବ । କୌଣସି ଭକ୍ତଙ୍କୁ ନାଟମଣ୍ଡପ କିମ୍ବା ବେହରଣ ଦ୍ୱାର ପର୍ଯ୍ୟନ୍ତ ଯାଇପାରିବେ ନାହିଁ । ପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ ।
ଏହି ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ସବ୍ କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ରାଜ୍ୟ ସରକାର କରିଥିବା ରନôଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ତଦାରଖ କମିଟିର କେଉଁ ଦୁଇଜଣ ସଦସ୍ୟ ରହିବେ ତାହା କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ନିଷ୍ପତି ନେବେ । ତେବେ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ସମୟରେ କେବଳ ଅଧିକୃତ ଓ ପାଳିଆ ସେବାୟତ ହିଁ ପ୍ରବେଶ କରି ପାରିବେ ।
ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ଏସପିଙ୍କୁ ପ୍ରଦାନ କରାଯିବ । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସବ୍ କମିଟିର ଗୁରୁତ୍ୱ ପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ସେହିପରି ନାଟମଣ୍ଡପ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି । ଏହାପରେ ହୁଣ୍ଡି ସ୍ଥାନାନ୍ତରଣ ହୋଇ ଧାଡ଼ି ଦର୍ଶନ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେବ । ବୈଠକରେ ଜିଲାପାଳ, ଏସପି, ଏଏସଆଇ ଅଧିକାରୀଙ୍କ ସହିତ ଛତିଶା ନିଯୋଗ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସ୍ଥାନାନ୍ତରଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଆଗାମୀ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତିମଣତି ନେଇ ଆଲୋଚନା ହେବ ।
