ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୦୫/୦୧/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ନିର୍ଦ୍ଧେଶକ୍ରମେ ଜିଲା ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ କେନ୍ଦ୍ରାପଡା ପ୍ରଦକ୍ଷଣ ଭବନଠାରେ ଆଜି ପାଣି ପଂଚାୟତ ପକ୍ଷ ପାଳନ -୨୦୨୪ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଏ ବର୍ଷ ପାଣି ପଂଚାୟତ ପକ୍ଷ ଚଳିତମାସ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳନ କରିବାକୁ ସ୍ଥିରିକୃତ ହୋଇଛି । ଅତିରିକ୍ତ ଜିଲାପାଳ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ପୂର୍ବ ବର୍ଷ ପରି ଏ ବର୍ଷ ପାଣି ପଂଚାୟତ ପକ୍ଷକୁ ପାଳନ କରିବାକୁ ସମସ୍ତଙ୍କୁ ସହଯୋଗ କାମନା କରିଥିଲେ । କେନ୍ଦ୍ରାପଡା ଭଳି କୃଷି ପ୍ରଧାନ ଜିଲାରେ ପାଣି ପଂଚାୟତର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ସେ ବର୍ଣ୍ଣନା କରିଥିଲେ । ଜିଲା, ବ୍ଲକ ଓ ପଂଚାୟତ ସ୍ତରରେ ଗଠନ କରାଯାଇଥିବା କମିଟିମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଭାଗୀତାରେ ଏହି ପାଣି ପଂଚାୟତ ପକ୍ଷ ପାଳନକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ ପାଣି ପଂଚାୟତ ପକ୍ଷ ପାଳନର ମୁଖ୍ୟ ଉଦ୍ଧେଶ୍ୟ ବିଷୟରେ ବକ୍ତବ୍ୟ ରଖିବା ସହ ବିଦୁ୍ୟତ୍ ବିଭାଗର ଅଧିକାରୀମାନଙ୍କର ଗୁରୁଦାୟିତ୍ୱ ବିଷୟରେ ମତ ରଖିଥିଲେ । ଚଳିତ ମାସ ୧୬ ତାରିଖରେ ମଣ୍ଡଳସ୍ତରୀୟ, ୨୪ ତାରିଖରେ ଜିଲାସ୍ତରୀୟ ଏବଂ ୩୦ ତାରିଖରେ ରାଜ୍ୟସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ କରାଯିବ । ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ଭାଷାରେ ବକ୍ତୃତା, ପ୍ରବନ୍ଧ, କୁଇଜ୍, ଚିତ୍ରାଙ୍କନ ପ୍ରତିଯୋଗିତା ଓ ମଡେଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଜିଲାସ୍ତରରେ ଏହି ପ୍ରତିଯୋଗିତା ଚଳିତ ମାସ ୧୦ ତାରିଖ ସୁଦ୍ଧା ଆୟୋଜନ କରିବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୨୫୦୦, ୨୦୦୦ ଓ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ସହ ପ୍ରମାଣ ପତ୍ର ଦିଆଯିବ । ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଣି ପଂଚାୟତ ପକ୍ଷ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇ ପାରିବ ବୋଲି ଅତିରିକ୍ତ ଜିଲାପାଳ ମତବ୍ୟକ୍ତ କରିଥିଲେ । ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଜିଲାସ୍ତରୀୟ ପ୍ରଥମ କୃତୀ ପ୍ରତିଯୋଗୀ ରାଜ୍ୟସ୍ତରରେ ଭାଗ ନେଇପାରିବେ । ଏହି ପ୍ରସ୍ତୁତି ବୈଠକରେ ଜଳ ସମ୍ପଦ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ନାବାର୍ଡ, ପଂଚାୟତରାଜ, ଶିକ୍ଷା, ଟିପିସିଓଡିଏଲ୍, ପଶୁ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *