ବଲାଙ୍ଗୀର, ୧୨/୦୮/୨୦୨୫ (ଓଡ଼ିଶା ସମାଚାର)- ବଲାଙ୍ଗୀର ଜିଲା ବେଙ୍ଗାମୁଣ୍ଡା ବ୍ଲକ ଅନ୍ତର୍ଗତ ରାଣୀପୁର ଝରିଆଲ ସ୍ଥିତ ପ୍ରସିଦ୍ଧ ଚଉଷଠି ଯୋଗିନୀ ମନ୍ଦିର ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ୮୭କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା ଘୋଷଣା କରିଛନ୍ତି ।

ଏହି ଟଙ୍କାରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ । ପ୍ରକାଶ ଯେ ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲକୁ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଥିଲେ । ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୋମେଶ୍ୱର ମହାଦେବଙ୍କ ମନ୍ଦିରରେ ପହଂଚି ଦର୍ଶନ କରିଥିଲେ ।
ମୁଖ୍ୟ ପୂଜକ ଜଗମୋହନ ତ୍ରିପାଠୀ ପୂଜା କାର୍ଯ୍ୟ କରିବା ସହ ପୀଠର ସୁବିଧା ଅସୁବିଧା ବିଷୟରେ କହିଥିଲେ । ପରେ ବ୍ଲକ ପ୍ରଶାସନ ତରଫରୁ କରାଯାଇଥିବା ବୈଠକରେ ପ୍ରସ୍ତୁତ ହୋଇଥିବା ଡିପିଆର ବିଷୟରେ ଏଲଇଡି ମାଧ୍ୟମରେ ଦେଖାଇଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଚଉଷଠି ଯୋଗିନୀ ମନ୍ଦିର ପାଇ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିଲେ ।

