ରାଜାରାଣୀ ସଙ୍ଗୀତ ଉତ୍ସବ ଆମ ସଂସ୍କୃତି ଓ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୭/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୬ ଆୟୋଜିତ ହେଉଛି। ଜାନୁଆରୀ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରହିଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ସଙ୍ଗୀତ ଉତ୍ସବ ଆୟୋଜିତ ହେବ।

ଉଦ୍‌ଘାଟନୀ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜାରାଣୀ ସଙ୍ଗୀତ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, “ରାଜାରାଣୀ ସଙ୍ଗୀତ ଉତ୍ସବ ଆମ ସଂସ୍କୃତି ଓ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ। ଶାସ୍ତ୍ରୀୟ ଓ ପାରମ୍ପରିକ ସଙ୍ଗୀତ ଆଜି ଆମ ରାଜ୍ୟ ଓ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛି। ଆଜିର ସନ୍ଧ୍ୟାରେ ଉପସ୍ଥିତ ସମସ୍ତ ସଙ୍ଗୀତଜ୍ଞ ଓ ଶାସ୍ତ୍ରୀୟ ସଙ୍ଗୀତ ପ୍ରଶଂସକମାନଙ୍କୁ ମୁଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।” ଏଥିସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶୀ ସଙ୍ଗୀତ ଗୁରୁ ଅଚ୍ୟୁତ ମହାରଣା, ସଙ୍ଗୀତ ବିଶାରଦ ପଣ୍ଡିତ ସୁରେଶ ତଲୱାଲକର ଓ ଆଜିର ସନ୍ଧ୍ୟାରେ ବାଦ୍ୟ ପରିବେଷଣ କରିଥିବା ସମସ୍ତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉଦ୍‍ଘାଟନୀ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା କଣ୍ଠଶିଳ୍ପୀ ଗୁରୁ ଅଚ୍ୟୁତ ମହାରଣା ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସଙ୍ଗୀତ ପରିବେଷଣ। ପ୍ରଥମେ ରାଗ ବଜ୍ରକାନ୍ତି ଓ ତାଳ ଜତିରେ ରାଗାଙ୍ଗ “ନିଶି ନାଥ ବଦନୀ” ପରିବେଷଣ କରିଥିଲେ ଗୁରୁ ଅଚ୍ୟୁତ ମହାରଣା। ଏହାପରେ ରାଗ ଶଙ୍କରାଭରଣ ଏବଂ ତାଳ ରୂପକରେ “ମନୁ ଯାଉ ନାହିଁ ମା”, ନାଟ୍ୟାଙ୍ଗ “ନ ଯା ଯମୁନା” ଏବଂ ଶେଷରେ ସିଂହାରୀ ଦାମୋଦରଙ୍କ ରଚନା ଏବଂ ସିଂହାରୀ ଶ୍ୟାମ ସୁନ୍ଦରଙ୍କ ସଂରଚନାରେ ପ୍ରସ୍ତୁତ ଭଜନ “କଞ୍ଜ ଚରଣେ”କୁ ଅତି ସୁନ୍ଦର ଭାବେ ପରିବେଷଣ କରିଥିଲେ ଗୁରୁ ଅଚ୍ୟୁତ ମହାରଣା ଓ ତାଙ୍କ ସହଯୋଗୀ। ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା, ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା ଅଚ୍ୟୁତ ମହାରଣା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କୁ ମର୍ଦଳରେ ଗୁରୁ ସଚ୍ଚିଦାନନ୍ଦ ଦାସ, ବଂଶୀରେ ଡକ୍ଟର ଜବାହାର ମିଶ୍ର, ହାରମୋନିୟମରେ ଗୁରୁ ମୁରଲୀଧର ସ୍ଵାଇଁ ଏବଂ ତାନପୁରାରେ ମମତା ଶ୍ରୀଚନ୍ଦନ ଓ ସଂଗୀତା ନାୟକ ସହଯୋଗ କରିଥିଲେ।

ଆଜିର ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ସଙ୍ଗୀତ ବିଶାରଦ ପଣ୍ଡିତ ସୁରେଶ ତଲୱାଲକର ଓ ସାଥୀଙ୍କ ଦ୍ୱାରା ତାଳ କୀର୍ତ୍ତନ ପରିବେଷଣ । ତାଙ୍କର ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‍ର କ୍ରିୟାତ୍ମକ ପରିବେଷଣ, ବାଦ୍ୟର ବିଭିନ୍ନ କଳାକୌଶଳ ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କୁ ସହଯୋଗ କରିଥିଲେ ହାରମୋନିୟମରେ ଅମେୟ ବିଚୁ, ତବଲାରେ ଶାବରୀ ତଲୱାଲକର ଓ କୌସ୍ତୁଭ ସ୍ଵାଇଁ, କୋହନରେ ଈଶାନ ପ୍ରମୋଦ ପରାନଞ୍ଜପେ, ଡ୍ରମ୍‌ରେ ଅଭିଷେକ ଭୁରୁକ୍ ଓ କଣ୍ଠରେ ନଦୁକ୍କଣ୍ଡି ବିନୟଦାସ ରାମଦାସନ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶୀ ସଙ୍ଗୀତ ଏବଂ ତାଳ କୀର୍ତ୍ତନ ପରିବେଷଣ ଦର୍ଶକମାନଙ୍କୁ ବେଶ୍ ବିମୋହିତ କରିଥିଲା। ଏଥିସହ ରାଜାରାଣୀ ସଙ୍ଗୀତ ଉତ୍ସବରେ ସ୍ଥାନିତ ହୋଇଥିବା ସେଲ୍ଫି ପଏଣ୍ଟରେ ଫଟୋ ଉଠାଇବା ପାଇଁ ଯୁବପିଢ଼ିଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡଙ୍ଗୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼.ବିଜୟ କେତନ ଉପାଧ୍ୟାୟ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ, ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *