ଫସଲ ଅମଳକୁ ନେଇ ଅନିଶ୍ଚିତତାରେ ଚାଷୀ
କଟକ,୧୦/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) ବାରଙ୍ଗ ବ୍ଲକ ଅନ୍ତର୍ଗତ ୩୩ ନଂ ଜୋନ୍ ର ଆଠଟି ପଞ୍ଚାୟତ ଏକ କୃଷି ପ୍ରଧାନ ଅଞ୍ଚଳ ।ଏହାର ୭୫ ଭାଗରୁ ଉର୍ଦ୍ଧ୍ବ ଜନସାଧାରଣ ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ରାଧିକ ବର୍ଷା ଓ ଚାଷ ଜମିରୁ ଜଳ ନିଷ୍କାସନ ପଥ ଦିନକୁ ଦିନ ବିଲ୍ଡରଙ୍କ ଦ୍ବାରା ଅବରୋଧ ହୋଇଯାଉଥିବାରୁ ଦୀର୍ଘ ଦିନ ଧରି ଚାଷକ୍ଷେତରେ ପାଣି ଜମି ରହି ଚାଷୀଙ୍କୁ ଏକ ପ୍ରକାର ହତାଶ କରିଦେଇଥିବା ବେଳେ ଯୁରିଆ ସାରର ଅଭାବୀ ବିକ୍ରି ଚାଷୀମାନଙ୍କୁ ବୋଝ ଉପରେ ଲଳିତା ବିଡା ପରି ପ୍ରତ୍ୟୟମାନ ହେଉଛି ।
ଏହି ଅଞ୍ଚଳରେ ଧାନ ଚାଷଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଚାଷ କରାଯାଇଥାଏ । ଧାନ ତଳି ରୁଆ କାର୍ଯ୍ୟ ସରି କ୍ଷେତ ଗୁଡିକ ବଛାବଛି ମଧ୍ୟ ସରିଗଲାଣି । ସରକାରଙ୍କ ଦ୍ବାରା ସବ୍ସିଡି ମାଧ୍ୟମରେ ସମବାୟ ସମିତି ହେଉ କିମ୍ବା ଦୋକାନ ଗୁଡିକରେ ଯେଉଁ ପରିମାଣରେ ୟୁରିଆ ସାର ଗଛିତ ହୋଇ ରହିବା କଥା ସେହି ପରିମାଣରେ ନ ଥିବାରୁ ଚାଷୀ ଆବଶ୍ୟକ କରୁଥିବା ସାର ପାଇପାରୁ ନାହିଁ । କୃଷି ବିଭାଗର ଅଧିକାରୀଙ୍କୁ ଚାଷୀମାନେ ଯୋଗାଯୋଗ କଲେ ମଧ୍ୟ କିଏ ଫୋନ୍ ଉଠାଉ ନାହାଁନ୍ତି ତ ଯଦି କିଏ ଫୋନ୍ ଉଠାଉଛି ତେବେ ସେ ଉତ୍ତର ଦେଉଛନ୍ତି, ସାର ଆସିଲେ ପାଇବ ।
କେବେ ଆସିବ କେତେ ପରିମାଣର ସାର ଆସିବ ତା’ର ସଠିକ୍ ତଥ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ । ବର୍ତ୍ତମାନ ଯଦିବା କାଁ ଭାଁ କେଉଁଠି କେମିତି ୟୁରିଆ ସାର ମିଳୁଛି ତେବେ ତାହା ଚୋରାରେ ଚଢ଼ା ଦରରେ ବିକ୍ରି କରାଯାଇଛି। ଚାଷୀମାନଙ୍କର ଆବଶ୍ୟକ ଥିବା ୟୁରିଆ ସାର ତୁରନ୍ତ ସରକାର ଯୋଗାଇଦେବା ପାଇଁ ଏହି ୮ ଗୋଟି ପଞ୍ଚାୟତର ଚାଷୀମାନେ ଦାବି କରିଛନ୍ତି ।
