ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ସମୀକ୍ଷା କଲେ କେନ୍ଦ୍ର କୃଷି ମନ୍ତ୍ରୀ

 – ଓଡ଼ିଶାର ପ୍ରଦର୍ଶନକୁ ନେଇ ସନ୍ତୋଷବ୍ୟକ୍ତ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର,୨୯/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ଆଜି ସମୀକ୍ଷା କରିଛନ୍ତି ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ। ଆଭାସି ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର କୃଷି ମନ୍ତ୍ରୀ ମାନେ ଯୋଗଦେଇଥିଲେ। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଆଲୋକପାତ କରିଥିଲେ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (PM-RKVY) ଅନ୍ତର୍ଗତ ପାଣ୍ଠିରୁ ଓଡ଼ିଶା  ୭୯ ପ୍ରତିଶତ ଏବଂ କୃଷୋନ୍ନତି ଯୋଜନା (Krishonnati Yojana) ଅଧୀନରେ ୮୦ ପ୍ରତିଶତ ବ୍ୟବହାର କରିସାରିଛି, ଯାହା ରାଜ୍ୟର କୃଷି ପ୍ରଗତିକୁ ଆହୁରି ତ୍ୱରାନ୍ୱିତ କରୁଛି। ବଳକା ପାଣ୍ଠିକୁ କେନ୍ଦ୍ର ସରକାର ଯଥାଶୀଘ୍ର ପ୍ରଦାନ କଲେ ଛଅଟି ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିବ।

ସମୀକ୍ଷା ବୈଠକରେ ଓଡ଼ିଶାର କୃଷି କ୍ଷେତ୍ରରେ ପ୍ରଗତି ଓ ପାଣ୍ଠିର ସୁବିନିଯୋଗ ପାଇଁ ମାନ୍ୟବର କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏହି ବିକାଶର ଧାରା ଜାରି ରହିବାକୁ ଆହ୍ୱାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ-ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରୁଥିବାବେଳେ କୃଷ୍ଣୋନ୍ନତି ଯୋଜନା ଖାଦ୍ୟ ସୁରକ୍ଷା ଓ ଆତ୍ମନିର୍ଭରତା ଉପରେ ଧ୍ୟାନ ଦେଉଛି। ଓଡ଼ିଶାର ପଦକ୍ଷେପଗୁଡ଼ିକରେ ପ୍ରାକୃତିକ କୃଷି, ଫସଲ ବିବିଧତା ଏବଂ ଶ୍ରୀଅନ୍ନ ନିମନ୍ତେ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ।

ବୈଠକରେ ଆଭାସି ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଅତିରିକ୍ତ ଶାସନ ସଚିବ ଡ଼ ଗଣେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

-0-

ସୁଶ୍ରୀ ସଙ୍ଗୀତା ମହାରଣା,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *