ଧସିପଡିଲା ନିର୍ମାଣାଧିନ ୫୩ନମ୍ବର ଜାତୀୟ ରାଜପଥ

                         ଅଢେଇ ହଜାର କୋଟି ଟଙ୍କାର ରାସ୍ତା କାମକୁ ନେଇ ଉଠିଲା ପ୍ରଶ୍ନ
କେନ୍ଦ୍ରାପଡ଼ା, ୨୫/୦୯/୨୦୨୬ (ଓଡ଼ିଶା ସମାଚାର)- ଲଗାଣ ବର୍ଷାରେ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହଜାରୀଛକ ନିକଟରେ ନିର୍ମାଣାଧୀନ ରାସ୍ତାର ପ୍ରାୟ ଏକଶହ ମିଟର ରାସ୍ତା ଧସିଯାଇଛି । ଘଟଣା ପରେ ଚଣ୍ଡିଖୋଲ-ପାରାଦୀପ -୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣାଧୀନ ରାସ୍ତାର ଗୁଣବତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରାସ୍ତାରେ ମାଟି ଠିକ୍ ଭାବେ ଜମା ଓ ସଂଘନୀକରଣ କରାଯାଇନଥିବାରୁ ଲଗାଣ ବର୍ଷାରେ ସେହି ମାଟି ଧସିଯାଇଛି । ଏଥିସହ ରାସ୍ତା ନିର୍ମାଣରେ ପାଉଁଶ ଓ ଜିପସମ୍ ଭଳି ସାମଗ୍ରୀ ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ରାସ୍ତା ଧସିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ସେହି ରାସ୍ତା ଉପରେ ପ୍ରତିବାଦ କରିଥିଲେ । ରାସ୍ତା ନିର୍ମାଣର ଗୁଣବତାକୁ ଯାଂଚ କରାଯିବା ସହ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ହେଉଛି ନିର୍ମାଣ କାର୍ଯ୍ୟରେ ଅବହେଳା ଯୋଗୁଁ ଏହି ରାସ୍ତାରେ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଛି । ପ୍ରାୟ ଅଢେଇ ହଜାର କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି ରାସ୍ତା ପ୍ରକଳ୍ପରେ ନିର୍ମାଣର ମାନ ଓ କାର୍ଯ୍ୟର ଗୁଣବତା ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି । ଗତ ୭ ମାସ ତଳେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଶ୍ୟାମସୁନ୍ଦର ଗଡା ନିକଟରେ ଏକଶହ ମିଟର ରାସ୍ତା ଧସିପଡିଥିଲା । 

ଲଗାଣ ବର୍ଷା ଯୋଗୁଁ ରାସ୍ତା ଧସିଛି ନା ନିର୍ମାଣରେ କୌଣସି ତ୍ରୁଟି ରହିଛି ତାହାର ବିଧିବଦ୍ଧ ତଦନ୍ତ କରାଯିବାକୁ ସମାଜସେବୀ ଚିତରଞ୍ଜନ ଦାସ ଦାବି କରିଛନ୍ତି । ସେ କହିଛନ୍ତି ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ବାରମ୍ବାର ନିମ୍ନମାନର କାର୍ଯ୍ୟ କରୁଛି । ଏ ନେଇ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ବହୁବାର ଅଭିଯୋଗ ମଧ୍ୟ କରାଯାଇଛି । ହେଲେ କର୍ତୃପକ୍ଷ ତାହାକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି । ଯାହାର ଫଳ ସ୍ୱରୂପ ପୂର୍ବରୁ ଶ୍ୟାମସୁନ୍ଦରପୁର ଏବଂ ନୀଳାଂଚଳ ବଜାର ନିକଟରେ ନିର୍ମାଣାଧିନ ରାସ୍ତା ଧସିପଡିଥିବା ବେଳେ ଏବେ ହଜାରୀଛକ ନିକଟରେ ଜାତୀୟ ରାଜପଥ ରାସ୍ତା ଧସିପଡିଛି । ଆଗକୁ ଆହୁରି ଅନେକ ସ୍ଥାନରେ ରାସ୍ତା ଧସିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

ଜନସାଧାରଣଙ୍କ ଟିକସ ଅର୍ଥକୁ ଏହିପରି ଭାବରେ ବରବାଦ କରାଯାଉଛି । ଏହାର ଉତର ଦାୟିତ୍ୱ କାହାର ତାହାକୁ ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି । ତଦନ୍ତ ପରେ କାରଣ ସ୍ପଷ୍ଟ ହୋଇପାରିବ । ଘଟଣାସ୍ଥଳରେ ବିଶେଷଜ୍ଞ ଟିମ୍ ଦ୍ୱାରା ରାସ୍ତାର ଗୁଣବତା ଓ ନିର୍ମାଣ ସାମଗ୍ରୀ ଯାଂଚ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାତୀୟ ରାଜପଥ କର୍ତୃପକ୍ଷ କହିଛନ୍ତି ।

Leave a Reply

Your email address will not be published. Required fields are marked *