ଗଡ଼ିଲା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର,୦୫/୦୪/୨୦୨୫ (ଓଡ଼ିଶା ସମାଚାର)- ଅଶୋକାଷ୍ଟମୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଛ । ହରିବୋଲ, ହୁଳହୁଳି ଏବଂ ହରହର ମହାଦେବ ଧ୍ୱନି ସମେତ ଘଂଟଘଂଟା ବାଦ୍ୟରେ ସୃଷ୍ଟି ହୋଇଥିଲା ଅଧ୍ୟାତ୍ମିକ ପରିବେଶ । ଅଣଲେଉଟା ରଥରେ ବାହାରିଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର । ତାଙ୍କ ସହିତ ଅଛନ୍ତି ରୁକୁଣା ଓ ଦୋଳଗୋବିନ୍ଦ । ଚଳଚଂଚଳ ହୋଇପଡ଼ିଛି ଏକାମ୍ରକ୍ଷେତ୍ର । ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହେବା ପରେ ରଥଟଣା ପ୍ରାୟ ୨ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା । ରୁକୁଣା ରଥରେ ବିଜେ କରି ମାଉସୀମା’ ଘରକୁ ଯାଉଛନ୍ତି ଶ୍ରୀଲିଙ୍ଗରାଜ । ସେଠାରେ ୪ ଦିନ ରହିବା ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ଅପରାହ୍ନ ପ୍ରାୟ ସାଢେ ୫ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା ।

ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହିତ ରୁକୁଣା ରଥ ଟାଣିଥିଲେ । ସୂର୍ଯ୍ୟାସ୍ତ ହେବାରୁ ରଥ ବଢ଼େଇବାଙ୍କ ଛକ ସ୍ଥିତ କପାଳୀ ମଠ ନିକଟରେ ଅଟକିଥିଲା । ସୂଚନାନୁସାରେ ରବିବାର ଦିନ ୨ଟାରେ ପୁଣି ରଥଟଣା ଆରମ୍ଭ ହେବ । ରଥ ଅଟକିଥିବା ସ୍ଥାନରେ ଶ୍ରଦ୍ଧାଳୁମାନେ ନଡ଼ିଆ, କଦଳି, ଧୂପ ଦୀପ ଦେଇ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା ରାତି ପର୍ଯ୍ୟନ୍ତ କରୁଥିବା ଦେଖାଯାଇଥିଲା । ରଥଟଣା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ୧୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ରଥ ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି ।

Leave a Reply

Your email address will not be published. Required fields are marked *