ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ ଅଭିଯାନ
ଭୁବନେଶ୍ୱର,୨୫/୦୯/୨୦୨୬ (ଓଡ଼ିଶା ସମାଚାର)- ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ଭୁବନେଶ୍ୱର ଜିଲ୍ଲା ଅଭିଯାନ। ଜିଲ୍ଲା ଅଭିଯାନର ମୁଖ୍ୟ ଲିଙ୍ଗରାଜ ସାହୁଙ୍କ ନେତୃତ୍ୱରେ ଆଜି ବିଭିନ୍ନ ଅନୁଷ୍ଠାନର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ତାଲିକାରେ ରଖିଥିବାରୁ ଶ୍ରୀ ସାହୁ ଧନ୍ୟବାଦ ଜଣାଇବା ସହ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି।
ବିଭିନ୍ନ ଅନୁଷ୍ଠାନ ସମୂହର ମିଳିତ ସ୍ୱର ‘ମିଳିତ ମଞ୍ଚ’ର ଶାଖା ଭୁବନେଶ୍ୱର ଜିଲ୍ଲା ଅଭିଯାନ ପକ୍ଷରୁ ଏହି ଦାବି ଉଠାଯାଇଛି। ରାଜଭବନ ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନର ମୁରବୀମାନେ ଏକାଠି ହୋଇ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରାଯିବା ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନକୁ ନେଇ ଶାନ୍ତିପୂର୍ଣ୍ଣ ଅଭିଯାନ ଚାଲୁ ରହିବ ବୋଲି ଜିଲ୍ଲା ଅଭିଯାନର ମୁଖ୍ୟ ଲିଙ୍ଗରାଜ ସାହୁ ସୂଚନା ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ, ରୋଟାରୀ କ୍ଲବର ପୂର୍ବତନ ସଭାପତି ଗଦାଧର ଦାସ, ସେବାୟତ ଗୋପାଳ ମକଦ୍ଦମ, ସାହାଯ୍ୟ ଗ୍ରୁପ୍ର ସମ୍ପାଦକ ଜ୍ଞାନ ପ୍ରକାଶ ପାଲଙ୍କ ସମେତ ବହୁ ଓକିଲ ନେତା, ସାମ୍ବାଦିକ ନେତା ଓ ସେବାୟତ ସାମିଲ ହୋଇଥିଲେ। 
ଭୁବନେଶ୍ୱର ଜିଲ୍ଲା ଅଭିଯାନର ମୁଖ୍ୟ ଶ୍ରୀ ସାହୁ କହିଥିଲେ, ବର୍ତ୍ତମାନ ଭୁବନେଶ୍ୱରର ଜନସଂଖ୍ୟା ଯଥେଷ୍ଟ ବଢ଼ିଗଲାଣି। ୧୯୯୨ରେ ଜିଲ୍ଲା ଗଠନ ବେଳେ ଏହାର ଲୋକସଂଖ୍ୟା ୧୧ ଲକ୍ଷ ଥିଲା। ମାତ୍ର ଏବେ ଏହା ବଢ଼ି ୨୩ ଲକ୍ଷରେ ପହଞ୍ଚିଲାଣି। ଭୁବନେଶ୍ୱରରେ ସବୁ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ୩ଟି ନିର୍ବାଚନମଣ୍ଡଳୀରେ ଲୋକସଂଖ୍ୟା ୧୩ ଲକ୍ଷରେ ପହଞ୍ଚିଲାଣି। ଭୁବନେଶ୍ୱରରୁ ଜଣେ ସାଧାରଣ ଲୋକ ଖୋର୍ଦ୍ଧାରେ ପହଞ୍ଚିବାକୁ ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ସେହିପରି ବାଲିଅନ୍ତା, ବାଲିପାଟଣାରୁ ଖୋର୍ଦ୍ଧାକୁ ଗଲେ ସକାଳୁ ସନ୍ଧ୍ୟା ହୋଇଯାଏ। ଭୁବନେଶ୍ୱରକୁ ଜିଲ୍ଲା ଗଠନ ପାଇଁ ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତାବ ରଖି ବହୁ କାର୍ଯ୍ୟାଳୟ ଏଠାରେ ସ୍ଥାପନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ।
ଏହି କମିଟି ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା କରିବାକୁ ସୁପାରିଶ କରିଥିଲା। ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ହେଉ କିମ୍ବା ଭୁବନେଶ୍ୱରର ବିଭିନ୍ନ ସମସ୍ୟା, ଜିଲ୍ଲାପାଳ ତୁରନ୍ତ ଉପସ୍ଥିତ ହୋଇ ସମାଧାନ କରିପାରିବେ। ପ୍ରାୟ ସବୁ ରାଜଧାନୀ ଜିଲ୍ଲା ହୋଇଥିବା ବେଳେ ଆଉ କେତେଦିନ ସବ୍ଡିଭିଜନ୍ ଅଧୀନରେ ରହିବା ବୋଲି ଶ୍ରୀ ସାହୁ କହିଥିଲେ। ଏପରି ବହୁ କାରଣ ପାଇଁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଆବଶ୍ୟକ ବୋଲି ଦାବି କରି ମଞ୍ଚ ପକ୍ଷରୁ ପୂର୍ବରୁ ଭୁବନେଶ୍ୱରର ପ୍ରାୟ ସବୁ ପୂଜା କମିଟିର ମୁଖ୍ୟ, ଭୁବନେଶ୍ୱର ବାଲିଯାତ୍ରା କମିଟି, ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ଓକିଲ ସଂଘ, ବାଲିପାଟଣା, ବାଲିଅନ୍ତା, ନଖରା ଆଦି ଅଞ୍ଚଳରୁ ୩୫ ହଜାର ମୁରବୀଙ୍କ ଦସ୍ତଖତ ଲିଙ୍ଗରାଜ ସାହୁଙ୍କ ଆବାହକତ୍ୱରେ ସଂଗ୍ରହ କରାଯାଇଛି।
