ଗୁଆଳି ରାସ୍ତା ଶୋଚନୀୟ; ଯାତାୟାତରେ ସମସ୍ୟା

କଟକ,୦୬/୦୯/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା): ସଦର ଥାନା ଅନ୍ତର୍ଗତ ଗୁଆଳି କେନାଲବନ୍ଧ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ରହିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ମୁଖ୍ୟ ରାସ୍ତାରୁ ପିଚୁ ମୋରମ ଉଠି ରାସ୍ତା ସାରା ଖାଲଖମାରେ ପରିଣତ ହୋଇଛି। ଉକ୍ତ ଖାଲରେ ବର୍ଷା ପାଣି ଜମିରହି ଯାତାୟାତରେ ସମସ୍ୟା ସୃଷ୍ଟି କରିବା ସହିତ ଛୋଟବଡ଼ ଦୁର୍ଘଟଣା ମଧ୍ୟ ହେଉଛି।

ପ୍ରାଚୀ ଡିଭିଜନ ପ୍ରତାପନଗରୀ ଜଳସମ୍ପଦ ବିଭାଗ ଅଧୀନରେ ଥୂବା ଗୁଆଳି ମାଇନର ଏହି ଗୁରୁତ୍ବପୂର୍ଣ ରାସ୍ତା ଉପରେ ଗୁଆଳି ସମେତ ମହାନ୍ତି ପାଟଣା, ତ୍ରିନାଥବଜାର, ଜଗନ୍ନାଥପୁର ଓ ଅଟଳା ଆଦି ଅଞ୍ଚଳର ଲୋକମାନେ ଯିବାଆସିବା ପାଇଁ ନିର୍ଭର କରିଥାନ୍ତି। ତେବେ ଦୀର୍ଘ ଦିନ ଧରି ଏହି ବ୍ୟସ୍ତବହୁଳ ରାସ୍ତାର ମରାମତି ନହେବାରୁ ରାସ୍ତା ସାରା ଖାଲଖମା ସୃଷ୍ଟି ହୋଇ କେଉଁ ଏକ ଉପାନ୍ତ ଅଞ୍ଚଳର ଭ୍ରମ ସୃଷ୍ଟି କରିଛି। ଅବସ୍ଥା ଏପରି ଯେ ଚାରି ଚକିଆ ଯାନ ଅଥବା ଆମ୍ବୁଲାନ୍ସ ଏହି ରାସ୍ତାରେ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।

ଏ ନେଇ ନିଆଳି ବିଧାୟକଙ୍କ ସମେତ ଜଳସମ୍ପଦ ବିଭାଗ ଅଧିକାରୀ ଓ ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏପରି ଏକ ବ୍ୟସ୍ତବହୁଳ ରାସ୍ତାର ମରାମତି କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗୁଆଳି ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *