ପାଟକୁରା, ଗରଦପୁର ଓ କୋରୁଆ ଠାରୁ ନିୟମିତ ବସ ସେବା ପାଇଁ ଉମାକାନ୍ତଙ୍କ ଦାବି

ପାଟକୁରା,୦୬/୦୯/୨୦୨୫ (ଓଡିଶା ସମାଚାର),ପାଟକୁରା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଅଂଚଳରୁ କଟକ କିମ୍ବା ଭୁବନେଶ୍ୱର ପର୍ଯ୍ୟନ୍ତ ଯିବାପାଇଁ କୌଣସି ନିୟମିତ ବସ ସେବା ନ ଥିବାରୁ ଜନସାଧାରଣ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ଗରଦପୁର ଓ କୋରୁଆଠାରୁ ତିନୋଟି ରୁଟ ରେ କଟକ ବା ଭୁବନେଶ୍ୱରକୁ ନିୟମିତ ବସ୍ ସେବା ଆରମ୍ଭ କରିବା ପାଇଁ ଭାଜପା ରାଜ୍ୟ ପ୍ରବକ୍ତା ଓ ସାମାଜିକ ଗଣମାଧ୍ୟମ ମୁଖ୍ୟ  ଉମାକାନ୍ତ ପଟ୍ଟନାୟକ ରାଜ୍ୟ ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ସହ ସାକ୍ଷାତ ଆଲୋଚନା କରି ଦାବି ରଖିଛନ୍ତି।

ଏହି଼ ରୁଟ ଗୁଡ଼ିକ ହେଲା, ପାଟକୁରାରୁ–ଆଖୁଆ–ବନ୍ଧକଟା–ବାହାକଣ୍ଡିଆ–ରଙ୍କାଳ–କରିଲୋପାଟଣା–ଶ୍ୟାମସୁନ୍ଦରପୁର ଗୋଡା–ଦୁହୁରିଆ–ଭାୟା ସାଲେପୁର ଦେଇ କଟକ-ଓ ଭୁବନେଶ୍ୱର ପର୍ଯ୍ୟନ୍ତ  ଗୋଟିଏ ରୁଟ । ଗରଦପୁର ଠାରୁ – କୋରୁଆ–ମାହାଳ–ଦାନପୁର–ଚାନ୍ଦୋଳ–ଭାୟା ସାଲେପୁର-ଦେଇ କଟକ ଓ ଭୁବନେଶ୍ୱର ପର୍ଯ୍ୟନ୍ତ ଗୋଟିଏ ରୁଟ ।   କୋରୁଆ ଠାରୁ କଳାବୁଦା – ତଳକୁସୁମା – ଲଙ୍କାପଡ଼ା – ତାରପୁର – ଭାୟା ରଘୁନାଥପୁର ଦେଇ – କଟକ- ଭୁବନେଶ୍ୱର ପର୍ଯ୍ୟନ୍ତ ଗୋଟିଏ ରୁଟ । ଏହିପରି ତିନି ଗୋଟି ରୁଟ ରେ ନିୟମିତ ବସ ସେବା ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବା ଦରକାର ।

ସେ ତାଙ୍କ ଦାବିପତ୍ରରେ ଏହା ଉଲ୍ଲେଖ କରିଛନ୍ତି ଯେ ଏହିଁ ସବୁ ଅଞ୍ଚଳ ଏବଂ ଏହାର ଆଖ ପାଖ ଅଞ୍ଚଳର ସାଧାରଣ ଜନତା ଲମ୍ବା ସମୟ ଧରି ଯାତାୟାତ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଉପରୋକ୍ତ ମାର୍ଗରେ କୌଣସି ନିୟମିତ ସାର୍ବଜନୀନ ବସ୍ ସେବା ଉପଲବ୍ଧ ନାହିଁ। ଏହାଫଳରେ ଶିକ୍ଷାର୍ଥୀ, ଦୈନିକ କର୍ମଜୀବୀ, ମହିଳା, ବୃଦ୍ଧ ଏବଂ ରୋଗୀ ଲୋକମାନେ କଟକ ଓ ଭୁବନେଶ୍ବରକୁ ଶିକ୍ଷା, ଜୀବିକା ଓ ଚିକିତ୍ସା ପାଇଁ ଯିବାରେ କଷ୍ଟ ଭୋଗୁଛନ୍ତି।

  ଯଦି ଏହି ମାର୍ଗମାନଙ୍କରେ ନିୟମିତ ବସ୍ ସେବା ଆରମ୍ଭ କରାଯାଏ, ତେବେ ଏହା ଦ୍ଵାରା ଦୈନିକ ଶହଶହ ଯାତ୍ରୀ ଉପକୃତ ହେବେ ଏବଂ ଏହି ସବୁ ଅଞ୍ଚଳରେ ଗମନା ଗମନ ସଂଯୋଗର ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ ବୋଲି ମନ୍ତ୍ରୀଙ୍କ ପାଖରେ ସେ ଦାବି ରଖିଛନ୍ତି।

ଏଣୁ  ଉପରୋକ୍ତ ୩ଟି ମାର୍ଗରେ  ନିୟମିତ ସରକାରୀ ବସ୍ ସେବା ଶୀଘ୍ର ଆରମ୍ଭ କରି ଏହି ଅଞ୍ଚଳର ଲୋକମାନଙ୍କୁ ଉପକୃତ କରିବା ପାଇଁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି କହିଥିବା ସେ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *